ଏପ୍ରିଲ ୫ରୁ ପୁଣି ଥରେ ମଞ୍ଚସ୍ଥ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’

ମଞ୍ଚନାଟକଠାରୁ ଓଡ଼ିଆ ଦର୍ଶକ ମୁହଁ ଫେରାଇ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ବାରମ୍ବାର ପୂର୍ଣ୍ଣ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ଏକଥାକୁ ଭୁଲ ପ୍ରମାଣିତ କରିଛି ଚକଲେଟ୍ ପ୍ରଡକସନ୍ସ ପ୍ରଯୋଜିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ । ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୧୬ଟି ସୋ’ ଅନୁଷ୍ଠିତ ହୋଇସାରିଥିଲେ ହେଁ ପୁଣିଥରେ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ପୂର୍ବବତ୍ ଅତୁଟ ରହିଛି । ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆସନ୍ତା ଏପ୍ରିଲ ୫ରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ନାଟକ ‘ଆହେ ନୀଳଶଇଳ’।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନାଟକର ରୂପକାର ତଥା ‘ସମ୍ବାଦ ଗ୍ରୁପ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଛନ୍ତି, ‘ଆହେ ନୀଳଶଇଳ’ ପୁଣିଥରେ ୫ ଦିନ ପାଇଁ ମଞ୍ଚସ୍ଥ ହେଉଥିବାରୁ ମୁଁ ବହୁତ ଖୁସି। ଆନନ୍ଦର ବିଷୟ ହେଲା, ଦର୍ଶକଙ୍କ ଭଲପାଇବା ଓ ଅନୁରୋଧ ଯୋଗୁ ଆମକୁ ବାରମ୍ବାର ନାଟକ ପ୍ରଦର୍ଶନ କରିବାକୁ ପଡ଼ୁଛି। ମୁଁ ଆଶା କରୁଛି, ଯେଉଁମାନେ ନାଟକ ଦେଖିପାରି ନାହାନ୍ତି ଏଥର ସେମାନେ ନିଶ୍ଚୟ ଦେଖିବାର ସୁଯୋଗ ନେବେ। ‘ଆହେ ନୀଳଶଇଳ’ ନାଟକ ମାଧ୍ୟମରେ ଚକଲେଟ୍ ପ୍ରଡକସନ୍ସ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରୁଥିବାରୁ ମୁଁ ଖୁସି।’ ଏହି ସାମ୍ବାଦିକ ସମ୍ମିଳନୀରେ ନାଟକର ଲେଖକ ଶଙ୍କର ପ୍ରସାଦ ତ୍ରିପାଠୀ, ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ, ଅଭିନେତା ହାଡୁ,  ପ୍ରକାଶ ଜେନା ଓ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଉପସ୍ଥିତ ଥିଲେ।