ପାହାଡ଼ର ଗୁମର କଥା: ବାଗୁଡ଼ିରୁ ବେଧଡ଼କ ପଥର ଚୋରି

ସୋର ବ୍ଲକ୍‌ ବାଗୁଡ଼ି ପାହାଡ଼ର ମହୁମୁହାଣ ଓ ଖଞ୍ଜାମାହାଲ ପଥର ଖାଦାନରେ ମାତିଛନ୍ତି ପଥରମାଫିଆ। ନିଲାମ ଦିଆଯାଇଥିବା ହାତଗଣତି ଖାଦାନକୁ ଛାଡ଼ିଦେଲେ ଅନେକ ଖାଦାନ ବେଆଇନ ଭାବେ ଚାଲିଛି। ବ୍ଲାଷ୍ଟିଂ କରି ଦିନରାତି ପଥର ଉତ୍ତୋଳନ କରାଯାଉଛି। ଫଳରେ ସ୍ଥାନୀୟ ଲୋକଙ୍କ ଘରଦ୍ବାର କ୍ଷତିଗ୍ରସ୍ତ ହେଉଛି। ସେହିପରି ଶ୍ରମିକମାନେ ବିପଦସଂକୁଳ ଅବସ୍ଥାରେ କାମ କରୁଛନ୍ତି। ତେବେ ଏପରି ସମୟରେ ବିଭାଗୀୟ ଅଧିକାରୀମାନେ ଚୁପ୍‌ ବସିବା କଥାକୁ ବୁଦ୍ଧିଜୀବୀମ‌ାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ମହୁମୁହାଣ ଓ ଖଞ୍ଜାମାହାଲରେ ମୋଟ ୬୪ଟି ଖଣି ନିଲାମ ହେଉଥିଲା। ଏବେ ମାତ୍ର ୧୨ଟି ଖଣି ନିଲାମ ଦିଆଯାଇଛି। ହେଲେ ୧୪୪ ଧାରା ଜାରି ସତ୍ତ୍ବେ ୫୦ଟିରୁ ଅଧିକ ଖଣିରେ ବେଆଇନ ପଥର ଉତ୍ତୋଳନ କରାଯାଉଛି। ପ୍ରଶାସନ ଓ ପୁଲିସ ଆଖିରେ ଧୂଳିଦେଇ ଶହ ଶହ ଟ୍ରିପ୍‌ ପଥର ଚୋରା ଚାଲାଣ ହେଉଛି। କି ଦିନ କି ରାତି; ଯେତେବେଳେ ଇଚ୍ଛା ସେତେବେଳେ ଖଣିଗୁଡ଼ିକରେ ବ୍ଲାଷ୍ଟିଂ କରି ପଥର ଫଟାଯାଉଛି। ଯାହାର ପ୍ରଭାବ ପଡ଼ୁଛି ଖଣି ନିକଟ‌ରେ ଗଢ଼ିଉଠିଥିବା ଘରଗୁଡ଼ିକ ଉପରେ। ସବୁ ଘରର କାନ୍ଥ ଫାଟି ଆଁ କଲାଣି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।