ଭବାନୀପାଟଣାରେ ମେଡିକାଲ କଲେଜକୁ ମିଳିଲା ଅନୁମୋଦନ

ଓଡ଼ିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାଠାରେ ମେଡିକାଲ କଲେଜ ଖୋଲିବା ନେଇ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ (ନ୍ୟାସନାଲ୍ ମେଡିକାଲ୍ କମିସନ୍) ଅନୁମୋଦନ ଦେଇଛନ୍ତି। ଏଠାରେ ଖୋଲାଯିବାକୁ ଥିବା ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌ ପାଇଁ ଏନ୍‌ଏମ୍‌ସି ଅନୁମୋଦନ ଦେଇଥିବା ଜଣାଯାଇଛି। ଏ ନେଇ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ମେଡିକାଲ କଲେଜ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ଆରମ୍ଭ ହେବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି।