ମାମଲା ରଫାଦଫା କରିବାକୁ ୫୦ ହଜାର ଟଙ୍କା ନେଉଥିଲେ ଖଣ୍ଡଗିରି ଥାନା ଏସ୍‌ଆଇ

ଏକ ମାମଲାର ରଫାଦଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କମିସନରେଟ ପୁଲିସର ଜଣେ ଏସ୍‌ଆଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ପୁଲିସ ଏସ୍‌ଆଇ ହେଲେ ସୁଶାନ୍ତ କୁମାର ସ୍ବାଇଁ। ସେ ଖଣ୍ଡଗିରି ଥାନାରେ ଏସ୍ଆଇ ଭାବେ ମୁତୟନ ଅଛନ୍ତି।

ସୂଚନା ଅନୁସାରେ ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଆଜି ଶ୍ରୀ ସ୍ବାଇଁ ଅଭିଯୋଗକାରୀଙ୍କୁ ୫୦ ହଜାର ଟଙ୍କା ଦାବି କରିଥିଲେ। ଥାନାବାବୁଙ୍କୁ ପାନେ ଦେବା ପାଇଁ ଅଭିଯୋଗକାରୀ ଏକ ଯୋଜନା କରିଥିଲେ ଏବଂ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଦାବି ଅନୁସାରେ ସେ ଆଜି ଥାନାବାବୁ ଶ୍ରୀ ସ୍ବାଇଁଙ୍କୁ ନାକା ଗେଟ୍ ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ିବସିଥିଲେ।

ଉପରୋକ୍ତ ମାମଲାରେ ଭୁବନେଶ୍ବର ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି। ରିପୋର୍ଟ ଲେଖାଯିବା ବେଳକୁ ତଦନ୍ତ ଜାରି ରହିଛି। ଭୁବନେଶ୍ଵର ଭିଜିଲାନ୍ସ ଏସପି ଅନୁପମା ଜେମ୍ସ ଏହି ସୂଚନା ଦେଇଛନ୍ତି।