ବିନା ନିଲାମରେ ଉଠୁଛି ବାଲି, ଗଭୀର ହେଉଛି କୋଏଲ

ବେଆଇନ ବାଲି ଉଠାଣ ଓ ଚୋରା ଚାଲାଣକୁ ରୋକି ପାରୁନି ପ୍ରଶାସନ। ତହସିଲର ବିଭାଗୀୟ ଅଧିକାରୀ ଓ ବାଲିମାଫିଆଙ୍କ ଭିତିରି ସଲାସୁତୁରାରେ ଲୁଟ୍‌ ହେଉଛି ଦୈନିକ ଶହ ଶହ ଟ୍ରାକ୍ଟର ବାଲି। ବାରମ୍ବାର ଅଭିଯୋଗ ହେଉଛି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ। ଏମିତି ଅଭିଯୋଗ ଆସିଛି ବିଶ୍ରା ତହସିଲ ଅନ୍ତର୍ଗତ କୋଏଲନଦୀ ଜାମସେରା ବାଲିଘାଟ (୧)ରୁ। ଫଳରେ କୋଏଲ ଗଭୀର ହେବାରେ ଲାଗିଛି। ବିଶ୍ରା ତହସିଲ ଜଗଦା ଆରଆର୍‌ ସର୍କଲ ଅନ୍ତର୍ଗତ ଜାମସେରା ଗ୍ରାମରେ କୋଏଲନଦୀ ଉପରେ ଦୁଇଟି ବାଲି ଘାଟ ରହିଛି।

ଗୋଟିଏ ହେଉଛି ଜାମସେରା -୧ ଓ ଅନ୍ୟଟି ଜାମସେରା- ୨। ଦୀର୍ଘଦିନ ଧରି ଜାମସେରା -୧ରେ ବାଲିଘାଟର ଟେଣ୍ଡର ଅବଧି ଶେଷ ହୋଇସାରିଛି। ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ସେହି ଘାଟରୁ ପ୍ରତିଦିନ ଶହ ଶହ ଟ୍ରାକ୍ଟର ଓ ଟ୍ରକ ବାଲି ଚୋରାରେ ଚାଲାଣ ହେଉଛି। ଆଶ୍ଚର୍ଯ୍ୟର କଥା,ବିନା ଟେଣ୍ଡରରେ ଜାମସେରା ୧ ରୁ ଦୀର୍ଘଦିନ ହେବ ଦିନ ଦ୍ବିପହରେ ଝିରପାଣି ମୁଖ୍ୟରାସ୍ତା ଦେଇ ବାଲି ଚୋରାଚାଲାଣ ହେଉଛି। ସବୁ ଜାଣି ସ୍ଥାନୀୟ ପୁଲିସ ଓ ବିଶ୍ରା ତହସିଲ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ବୀରମିତ୍ରପୁର ତହସିଲ ଖୁଟଗାଁ ଆର. ଆଇ. ଅଧୀନରେ ଥିବ ମିଟକୁନ୍ଦୁରି ଗ୍ରାମ ନିକଟସ୍ଥ କୋଏଲସେତୁ ନିକଟରୁ ମଧ୍ୟ ପ୍ରତିଦିନ ଶହ ଶହ ଗାଡି ବାଲିଚୋରି ହେଉଛି।