ଆଣ୍ଠେଇଛି ମାଳ ମାଳ ପ୍ରକଳ୍ପ, ବିରୋଧୀଙ୍କ ଆନ୍ଦୋଳନ ପ୍ରଭାବଶୂନ୍ୟ

ବିରୋଧୀଙ୍କ ନୀରବତାରୁ ସହରର ମାଳ ମାଳ କେନ୍ଦ୍ର ଓ ରାଜ୍ୟ ପ୍ରକଳ୍ପ ଆଣ୍ଠେଇଛି। କେଉଁଠ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ କାମ ଆଗଉନି। ଅନ୍ୟ କେଉଁଠି ଟଙ୍କା ପଡିଥିଲେ ପ୍ରକଳ୍ପର ନାଁ ଗନ୍ଧ ନାହିଁ। ପ୍ରଶାସନିକ ଅଧିକାରୀ, ବିଭାଗର ଅବହେଳାକୁ ଦାୟୀ କରି ଉଭୟ ବିଜେପି ଓ କଂଗ୍ରେସ ପ୍ରତିବାଦର ସ୍ବର ଉଠାଉଛନ୍ତି। ମାତ୍ର ଏମାନଙ୍କ ବିରୋଧର ସ୍ବର ପ୍ରଭାବଶୂନ୍ୟ ରହିଛି। ଯାହାର ଫାଇଦା ଉଠାଉଛନ୍ତି ଉଭୟ ବିଭାଗୀୟ ଅଧିକାରୀ ଓ କାମ ନେଇଥିବା ଠିକା ସଂସ୍ଥା। କାହିଁକି ଆଗଉ ନାହିଁ, ଥରୁଟିଏ ଉଭୟ ବିଜେଡି କିମ୍ବା ବିଜେପି ମୁହଁ ଖୋଲୁ ନାହାନ୍ତି। ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୩୪୦ କୋଟିର ସ୍ବରେଜ ପ୍ରକଳ୍ପ ଦୁଇ ବର୍ଷରେ ସରିବା କଥା। ବିତିଗଲାଣି ୪ ବର୍ଷ। ତଥାପି ୨୫% କାମ ବାକି ଅଛି। ପ୍ରାୟ ୨୮ ହଜାର ଘରକୁ ପାଇପ୍‌ ସଂଯୋଗ କରିବାକୁ ଟାର୍ଗେଟ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ମାତ୍ର ସିଭିଲଟାଉନସିପ୍‌ର ୪୦୦ରୁ ୫୦୦ ଘରକୁ ସଂଯୋଗ ହୋଇପାରିଛି। ଏଥିରୁ ଏହି ପ୍ରକଳ୍ପ କେତେଦୂର ସହରବାସୀଙ୍କ କାମରେ ଲାଗୁଛି, ତାହା ବି ସନ୍ଦେହ।

ଜିଲ୍ଲାର ଅର୍ଥନୈତିକ ବିକାଶରେ ବାଧକ ସାଜିଛି ୬ଟି ରେଳ ଲାଇନ ସଂଯୋଗକରଣ କାମ। ରେଳ ବୋର୍ଡ ପକ୍ଷରୁ ଏ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଜମି ଅଧିଗ୍ରହଣ ସମସ୍ୟା ଓ ଇଚ୍ଛାଶକ୍ତି ଅଭାବରୁ ଏସବୁ କେବଳ ସର୍ଭେରେ ଅଟକିଛି। ରକ୍ସି-ବାଂଶପାଣି ଭାୟା କୋଇଡା (୫୭.୫ କି.ମି.) ପାଇଁ ୧୭୪୬.୨୯ କୋଟି, କିରିବୁରୁ- ବଡ଼ବିଲ (୨୪.୨ କି.ମି.) ୭୦୫.୧୭ କୋଟି, କଲୁଙ୍ଗା- ଲାଠିକଟା ( ପ୍ରାୟ ୧୫ କି.ମି. ) ପାଇଁ ୧୫୦ କ‌ୋଟି ବ୍ୟୟ ବରାଦ ହୋଇଛି ଅନେକ ଆଗରୁ। ଗତ ୨୦୧୮ ମେ’ ୩ରେ କୋଇଡା- ବଡ଼ବିଲ୍‌ ଲାଇନ ସର୍ଭେ କରି ରେଲୱେ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। ସେମିତି ଝାରସୁଗୁଡା-ଅମ୍ବିକାପୁର, କିରିବୁରୁ-ଗୋଆ ରେଳ ଲାଇନ ପାଇଁ ମଧ୍ୟ ସର୍ଭେ ହୋଇଥିଲା। ମୋଟାମୋଟି ଭାବେ ୨୦୨୩-୨୪ ସୁଦ୍ଧା ଏସବୁ ରେଳ ଲାଇନ କାମ ଶେଷ ହୋଇ ପାରିବା କଥା। କିନ୍ତୁ ସେଦିଗରେ ଆନ୍ତରିକତା ଦେଖିବାକୁ ମିଳୁନାହିଁ।