କ୍ରିମିଆ ଘଟଣା ଭାରତ ପାଇଁ ଶିକ୍ଷା’ : ଚୀନ-ପାକିସ୍ତାନକୁ ନେଇ ଭାରତକୁ ସତର୍କ କରାଇଲେ ୟୁକ୍ରେନ ଉପ-ବିଦେଶମନ୍ତ୍ରୀ

ରୁଷ ଯେପରି ୟୁକ୍ରେନର କ୍ରିମିଆକୁ ଅଧିକାର କରିନେଲା, ଭାରତ ସେଥିରୁ ଶିକ୍ଷା ନେଇ ଚୀନ ଓ ପାକିସ୍ତାନ ଠାରୁ ସତର୍କ ରହିବା ଉଚିତ ବୋଲି ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମିନ୍ ଝାପାରୋଭା ଚେତାଇ ଦେଇନ୍ତି ।

୪ ଦିନିଆ ଭାରତ ଗସ୍ତରେ ଆସିଥିବା ଝାପାରୋଭା କହିଛନ୍ତି ଯେ ଭାରତ ଏପରି ଲୋକଙ୍କୁ ଚିହ୍ନଟ କରିବା ଉଚିତ, ଯେଉଁମାନେ ସେମାନଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଯେକୌଣସି ସୀମାକୁ ଯାଇପାରିବେ। ଗତ ବର୍ଷ ଫେବ୍ରୁଆରି ମାସରେ ଯୁଦ୍ଧ ପରେ ୟୁକ୍ରେନର କୌଣସି ମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ ।

ସେ କହିଛନ୍ତି, ମୁଁ ଏକ ବାର୍ତ୍ତା ନେଇ ଭାରତ ଆସିଛି। ୟୁକ୍ରେନ୍ ପ୍ରକୃତରେ ଭାରତକୁ ନିକଟତର କରିବାକୁ ଚାହୁଁଛି। ହଁ… ଆମ ମଧ୍ୟରେ ଏକ ଇତିହାସ ରହିଛି। ତଥାପି ଆମେ ଭାରତ ସହ ଏକ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛୁ। ସେହି ଦୃଷ୍ଟିରୁ କ୍ରିମିଆ ଘଟଣା ଭାରତ ପାଇଁ ଏକ ଶିକ୍ଷା। ଯେତେବେଳେ କେହି ଆପଣଙ୍କୁ ଦମନ କରନ୍ତି କିମ୍ବା ଅତ୍ୟାଚାର କରନ୍ତି ଏବଂ ଯଦି ଏହାକୁ ବନ୍ଦ କରା ନଯାଏ, ତେବେ ଏହା ଆହୁରି ବଢିଯାଏ ।