୩ ଦିନରେ ତାତି ୩ ଡିଗ୍ରି ବଢ଼ିବ

ରବିବାର ଦିନ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇଯାଇଛି। ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ରହିଥିବା ଝଡ଼ର ପ୍ରଭାବ ଯୋଗୁଁ ରବିବାର ଦିନ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହୋଇଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ‌ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର କେତେକାଂଶରେ ଆଜି ବର୍ଷା ରେକର୍ଡ ହୋଇଛି।

ଆଜି(ସୋମବାର) ମଧ୍ୟ କାଳବୈଶାଖୀର ପ୍ରଭାବ କିଛି ପରିମାଣରେ ଓଡ଼ିଶା ଉପରେ ରହିପାରେ। ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହାପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବ। ବର୍ଷା ବିଶେଷ ହେବ ନାହିଁ। ଖରା ବଢ଼ିବ। ଫଳରେ ଦିନ ତାପମାତ୍ରା ମଧ୍ୟ ଧୀରେଧୀରେ ବଢ଼ିବା ଆରମ୍ଭ କରିବ। ଆସନ୍ତା ୩ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ଯାଏ ବଢ଼ିବ। ଆଜି ରାଜଧାନୀ ଭୁବନେଶ୍ବରର ଆକାଶ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ଦିନ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ।