ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ନେଇ ଦାୟର ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

ବାଲେଶ୍ବର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଯଦୁନାଥ ସେଠୀଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ଆଜି ଖାରଜ କରିଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କେହି ଉପସ୍ଥିତ ନଥିଲେ। ପୂର୍ବରୁ ଏପ୍ରିଲ ୧୩ ଓ ୧୪ରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କେହି ଉପସ୍ଥିତ ନଥିବା ସ୍ପଷ୍ଟ ହୋଇଥିଲା। ଆବେଦନକାରୀ ଅନୁପସ୍ଥିତ ଥିବାରୁ ଘଟଣାକୁ ହାଇକୋର୍ଟ ବିଚାରକୁ ନେଇ ହାଇକୋର୍ଟ ଆଜି ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ବର ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଯଦୁନାଥ ସେଠୀ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ବାଲେଶ୍ବର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଶ୍ରୀ ସେଠୀ ୨୦୧୯ରେ ଏହି ନିର୍ବାଚନ ମାମଲା ଦାୟର କରିଥିଲେ। ବିଜେପି ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ ନାମାଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ସମ୍ପୂର୍ଣ୍ଣ ନୁହେଁ। ସେ ବହୁ ତଥ୍ୟ ଲୁଚାଇଛନ୍ତି। ସମ୍ପତ୍ତି, ବିଚାରାଧୀନ ମାମଲା ଓ ଅନ୍ୟ କେତେକ ପ୍ରସଙ୍ଗରେ ସେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନାହାନ୍ତି।