ଅର୍ଥମନ୍ତ୍ରୀଙ୍କ ତାଗିଦ ପରେ ତତ୍ପର ହେଲା ଷ୍ଟେଟ ବ୍ୟାଙ୍କ, ବରିଷ୍ଠ ନାଗରିକଙ୍କ ପାଇଁ ଆଇରିସ୍ ସ୍କାନର ବ୍ୟବସ୍ଥା କରିବ

ଭତ୍ତା ପାଇଁ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଝରିଗାଁର ୭୦ ବର୍ଷୀୟା ବୃଦ୍ଧା ସୂର୍ଯ୍ୟ ହରିଜନ ଏକ ଚେୟାର ସାହାଯ୍ୟରେ ଚାଲି ଚାଲି ବ୍ୟାଙ୍କ ଶାଖାକୁ ଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତାହା ସମଗ୍ର ଦେଶରେ ଚହଳ ପକାଇଛି । ଖୋଦ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘଟଣାକୁ ନେଇ ବିରକ୍ତ ହୋଇ ଟିକିଏ ମାନବିକତା ଦେଖାଇବାକୁ କହିବା ପରେ ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗ ଓ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ତତ୍ପର ହୋଇଉଠିଛନ୍ତି ।

ଅର୍ଥମନ୍ତ୍ରୀଙ୍କ ଠାରୁ ପରାମର୍ଶ ପାଇବା ପରେ ଏସବିଆଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୋଟିଏ ପରେ ଗୋଟିଏ ଟୁଇଟ୍ କରିଥିଲା। ଅର୍ଥମନ୍ତ୍ରୀଙ୍କ ଟୁଇଟର ଜବାବ ଦେଇ ଏସବିଆଇ କହିଛି ଯେ ମହିଳାଙ୍କ ଭିଡିଓ ଦେଖି ସେ ମଧ୍ୟ ବହୁତ ଦୁଃଖିତ। ବ୍ୟାଙ୍କ କହିଛି ଯେ ବୃଦ୍ଧା ମହିଳା ସିଏସପି ପଏଣ୍ଟରୁ ପ୍ରତି ମାସରେ ପେନସନ ଉଠାନ୍ତି, କିନ୍ତୁ ବାର୍ଦ୍ଧକ୍ୟ କାରଣରୁ ତାଙ୍କ ଆଙ୍ଗୁଠିଚିହ୍ନ ମେଳ ଖାଉନାହିଁ ।