ଉପକୂଳରେ ଥଣ୍ଡା, ପଶ୍ଚିମରେ ଗରମ; ୪୦ ଡିଗ୍ରିରେ ତାତିଲା ନୂଆପଡ଼ା

ରାଜ୍ୟର ପାଣିପାଗରେ ପରିବର୍ତ୍ତନ ହୋଇଛି। ଗତକାଲି ଠାରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଆଜି ଉପକୂଳ ଓଡ଼ିଶାବାସୀ ଉଭୟ ଖରା ଓ ଗରମରୁ ଆଶ୍ବସ୍ତିଲାଭ କରିଥିବା ବେଳେ ପଶ୍ଚିମଓଡ଼ିଶାରେ ତାପମାମାତ୍ରା ଜାରି ରହିଛି। ପଶ୍ଚିମଓଡ଼ିଶାରେ ତାପମାତ୍ରା ୩୫ଡିଗ୍ରି ଉପରେ ରହିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ନୂଆପଡ଼ାରେ ଆଜି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବୌଦ୍ଧରେ ୩୯.୫ ଓ ସୋନପୁରରେ ୩୯.୧ ଡିଗ୍ରି ପାରା ପହଞ୍ଚିଛି। ସେହିଭଳି ସମ୍ବଲପୁରରେ ୩୯, ଝାରସୁଗୁଡ଼ାରେ ୩୮, କେନ୍ଦ୍ରାପଡ଼ାରେ ୩୮.୮, ବଲାଙ୍ଗୀରରେ ୩୮.୫, ଅନୁଗୁଳରେ ୩୮.୧, ମାଲକାନଗିରିରେ ୩୮, ହୀରାକୁଦରେ ୩୮ ଡିଗ୍ରି ରେକର୍ଡ ହୋଇଛି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାତି ଓ ଗୁଳୁଗୁଳିରେ କଲବଲ ରାଜ୍ୟବାସୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଶୁକ୍ରବାର ଭୋର୍‌ ପ୍ରାୟ ୪ଟା ବେଳକୁ ହଠାତ୍‌ ରାଜ୍ୟର ପାଗ ବଦଳି ଯାଇଥିଲା। କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ସହ ପବନ ବହିବା ଆରମ୍ଭ ହୋଇଥିଲା।