ମା’ଙ୍କ ଅନ୍ତୋଦୟ କାର୍ଡ ପାଇଁ ପୁଅ ଠାରୁ ଲାଞ୍ଚ ମାମଲା: ପୂର୍ବତନ ସରପଞ୍ଚଙ୍କୁ ୨ ବର୍ଷ ଜେଲ୍

ମା’ ନାମରେ ଅନ୍ତୋଦୟ କାର୍ଡ କରାଇଦେବାକୁ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ୍ କୁଲବା ପଞ୍ଚାୟତ ପୂର୍ବତନ ସରପଞ୍ଚ ଜୟନ୍ତୀ ପ୍ରଧାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୭ ତାରିଖ ଗୁରୁବାର ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ୨ ବର୍ଷ ଜେଲ୍ ଦଣ୍ତ ସହ ୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ ଦଣ୍ଡ ୧ ମାସ ବୃଦ୍ଧି ହେବ ବୋଲି ବିଚାରପତି ଆଦେଶରେ ଉଲ୍ଲେଖ କରିଛନ୍ତି।

ମାମଲାର ବିବରଣୀ ଅନୁସାରେ, ୨୦୧୦ରେ କୁଲବା ଗାଁର ପ୍ରତାପ ନାଏକ ତାଙ୍କ ମା’ ମେନକା ନାଏକଙ୍କ ନାମରେ ଏକ ଅନ୍ତୋଦୟ କାର୍ଡ କରାଇଦେବାକୁ ତତ୍କାଳୀନ ସରପଞ୍ଚ ଜୟନ୍ତୀଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ତାଙ୍କୁ ସରପଞ୍ଚ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏତେ ଟଙ୍କା ଦେବାକୁ ପ୍ରତାପ ସକ୍ଷମ ନଥିବା ପ୍ରକାଶ କରିଥିଲେ, ଏହା ପରେ ସରପଞ୍ଚ ୨ ହଜାର ଟଙ୍କା ମାଗିଥିଲେ।

ଏ ନେଇ ପ୍ରତାପ ୨୦୧୦ ମେ ୨୦ରେ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ସରପଞ୍ଚଙ୍କୁ ଧରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ପ୍ରତାପ ରାସାୟନିକ ପ୍ରଲେପ ଦିଆ ୨ ହଜାର ଟଙ୍କା ନେଇ ସରପଞ୍ଚଙ୍କୁ ଦେଇଥିଲେ। ଠିକ୍ ଏହି ସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ସରପଞ୍ଚଙ୍କୁ କାବୁ କରି ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ମାମଲାର ବିଚାର ଚାଲିଥିବା ବେଳେ ତଦନ୍ତ ରିପୋର୍ଟ ଓ ସାକ୍ଷ୍ୟକୁ ଭିତ୍ତି କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ କରିଛନ୍ତି। ରାଉରକେଲା ଭିଜିଲାନ୍ସ ୟୁନିଟର ପୂର୍ବତନ ଭିଜିଲାନ୍ସ ନିରୀକ୍ଷକ ସାଲେଷ୍ଟିନ୍ ଟିଗ୍ଗାଙ୍କ ନେତୃତ୍ବରେ ଟିମ୍ ପୂର୍ବତନ ସରପଞ୍ଚଙ୍କୁ ଧରିଥିବା ବେଳେ ସୁନ୍ଦରଗଡ଼ ୟୁନିଟର ପୂର୍ବତନ ଉପ ଆରକ୍ଷୀ ଅଧିକ୍ଷକ ରାଧାକୃଷ୍ଣ କାନୁନଗୋ ମାମଲାର ଅନୁସନ୍ଧାନ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ।