ଜାତିସଂଘରେ ସମସ୍ତଙ୍କୁ ଭେଟୋ କ୍ଷମତା ମିଳୁ, ନହେଲେ କାହାକୁ ନମିଳୁ : ଭାରତ

ଭାରତ ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ରର ମାନ୍ୟତା ପାଇଛି ବୋଲି ଖୋଦ ଜାତିସଂଘ ଘୋଷଣା କରିଛି । କିନ୍ତୁ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସ୍ଥାନୀୟ ସଦସ୍ୟତା ନ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛି ଭାରତ । ସବୁ ଦେଶଙ୍କୁ ଜାତିସଂଘରେ ସମାନ ଅଧିକାର ମିଳିବା ଉଚିତ ବୋଲି ଭାରତ କହିଛି ।

ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ଏବଂ ଭିଟୋ ଅଧିକାରକୁ ନେଇ ବୁଧବାର ଭାରତ ଏକ ବଡ଼ ବୟାନ ଦେଇଛି। ଭାରତ କହିଛି ଯେ ଭିଟୋ ବ୍ୟବହାର କରିବାର ସ୍ୱତନ୍ତ୍ର ଅଧିକାର କେବଳ ପାଞ୍ଚଟି ଦେଶର ରହିଛି। ଏହା ଦେଶର ସାର୍ବଭୌମ ସମାନତାର ଧାରଣା ବିରୁଦ୍ଧରେ । ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପରାମର୍ଶଦାତା ପ୍ରତୀକ ମାଥୁର କହିଛନ୍ତି ଯେ ସମସ୍ତ ଦେଶକୁ ସମାନ ବ୍ୟବହାର କରାଯିବା ଉଚିତ । ନୂତନ ସଦସ୍ୟମାନଙ୍କୁ ମଧ୍ୟ ଭିଟୋ କ୍ଷମତା ମିଳିବା ଉଚିତ୍, ନୋଚେତ କାହାରିକୁ ନମିଳୁ ।

ଏହା ସ୍ପଷ୍ଟ ଯେ ଭିଟୋ କ୍ଷମତା ର ଅଧିକାର ଏବଂ ସ୍ଥାୟୀ ସଦସ୍ୟତା ସମ୍ପ୍ରସାରଣ ଉପରେ ଭାରତ ନିଜର ମତ ରଖିଛି । ଭାରତ ସ୍ପଷ୍ଟ ସଙ୍କେତ ଦେଇଛି ଯେ ନିଜର ଅଧିକାରକୁ ଆଉ ବଞ୍ଚିତ କରାଯାଇପାରିବ ନାହିଁ। ସ୍ଥାୟୀ ସଦସ୍ୟତା ସମ୍ପ୍ରସାରଣରେ ଭିଟୋ କରିବାର ଅଧିକାର ଥିବା ସ୍ଥାନ ଭାରତକୁ ମିଳିବା ଉଚିତ। ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ସ୍ଥିତି ବଦଳିଯାଇଛି ବୋଲି ଭାରତ ଦୀର୍ଘ ଦିନ ଧରି କହି ଆସୁଛି। ବିଶ୍ୱ ନୂତନ ଆହ୍ୱାନ ଏବଂ ଦାୟିତ୍ୱର ସମ୍ମୁଖୀନ ହେଉଛି ଯାହାର ମୁକାବିଲା ଏବଂ ସମାଧାନ ପାଇଁ ସଂସ୍କାର ଆବଶ୍ୟକ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଏବଂ ଜନବହୁଳ ଦେଶକୁ ସ୍ଥାୟୀ ସଦସ୍ୟତା ନଦେବା ଅନ୍ୟାୟ ବୋଲି ଭାରତ କହିଛି ।