ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶାରେ ୮ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ

ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ ପାଇଁ ମଧ୍ୟ ଶିଳାନ୍ୟାସ କରିବେ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ଏବଂ ଓଡ଼ିଶାରେ ୮ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଓ ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଗତି କରିବ। ସପ୍ତାହରେ ଛଅ ଦିନ (ଗୁରୁବାର ବ୍ୟତୀତ) ଚଳାଚଳ କରୁଥିବା ଏହି ଟ୍ରେନ୍ ରେଳ ଉପଭୋକ୍ତାଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଯାତ୍ରା ଅନୁଭୂତି ପ୍ରଦାନ କରିବ, ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ। ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ ପାଇଁ ମଧ୍ୟ ଶିଳାନ୍ୟାସ କରିବେ ମୋଦି । ପୁନଃବିକଶିତ ଷ୍ଟେସନଗୁଡ଼ିକରେ ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରୁଥିବା ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ରାଜ୍ୟରେ ରେଳ ନେଟୱାର୍କର ଶତ ପ୍ରତିଶତ ବିଦ୍ୟୁତୀକରଣକୁ ସେ ଲୋକାର୍ପିତ କରିବେ । ଏହା ଦ୍ୱାରା ଅପରେଟିଂ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ ପାଇବ ଏବଂ ଆମଦାନୀ ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ସମ୍ବଲପୁର-ଟିଟିଲାଗଡ଼ ରେଳ ଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ଓ ବିଛୁପାଲି ଓ ଝାରତରଭା ମଧ୍ୟରେ ନୂଆ ବ୍ରଡଗେଜ୍ ରେଳ ଲାଇନ, ରାଉରକେଲା-ଝାରସୁଗୁଡ଼ା ଏବଂ ମନୋହରପୁର-ବଣ୍ଡାମୁଣ୍ଡା ତୃତୀୟ ଲାଇନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଇସ୍ପାତ, ଶକ୍ତି ଓ ଖଣି କ୍ଷେତ୍ରର ଦ୍ରୁତ ଶିଳ୍ପ ବିକାଶ ଫଳରେ ଟ୍ରାଫିକ୍ ଚାହିଦା ବୃଦ୍ଧି ପାଇବ।
ପୂର୍ବତଟ ରେଳପଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପୁରୀ ରେଳ ଷ୍ଟେସନରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ୧୬ଟି ବଗି ବିଶିଷ୍ଟ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ଚଳାଚଳ ମେ ୨୦ରୁ ଆରମ୍ଭ ହେବ। ଏହି ଟ୍ରେନ୍ ସକାଳ ୬ଟା ୧୦ରେ ହାୱଡ଼ାରୁ ବାହାରି ରାତି ୧୨ଟା ୩୫ରେ ପୁରୀରେ ପହଞ୍ଚିବ। ପ୍ରତ୍ୟାବର୍ତ୍ତନ ଦିଗରେ ଏହା ପୁରୀରୁ ଅପରାହ୍ନ ୧ଟା ୫୦ରେ ବାହାରି ରାତି ସାଢ଼େ ୮ଟାରେ ହାୱଡ଼ାରେ ପହଞ୍ଚିବ। ଏହି ଟ୍ରେନରେ ୨ ମିନିଟ୍ ପାଇଁ ୭ଟି ଷ୍ଟପେଜ ରହିବ। ବୁଧବାରଠାରୁ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ରିଜର୍ଭେସନ୍ ଟିକେଟ୍ ବୁକିଂ ଉପଲବ୍ଧ ହେବ।