୧୦ ପ୍ରତିଶତ ଇଡବ୍ଲ୍ୟୁଏସ୍ ସଂରକ୍ଷଣ ରାୟକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ସଂରକ୍ଷଣକୁ କେବଳ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗକୁ ସମାଜର ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତ କରିବା ପାଇଁ ନୁହେଁ, ବରଂ କୌଣସି ବର୍ଗ ବା ଅବହେଳିତ ବର୍ଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ଏକ ଉପକରଣ ବୋଲି ସଂଖ୍ୟାଗରିଷ୍ଠ ମତରେ ବର୍ଣ୍ଣନା କରାଯାଇଛି।

ନଭେମ୍ବର ୭, ୨୦୨୨ରେ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍ କୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ: ନାମଲେଖା ଓ ସରକାରୀ ଚାକିରିରେ ଅଣସଂରକ୍ଷିତ ବର୍ଗମଧ୍ୟରେ ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରଣୟନ କରାଯାଇଥିବା ୧୦୩ତମ ସମ୍ବିଧାନ ସଂଶୋଧନକୁ ବଜାୟ ରଖି ନଭେମ୍ବର ୭, ୨୦୨୨ରେ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି।

ରିଭ୍ୟୁ ପିଟିସନକୁ ଅନୁଧ୍ୟାନ କରିବା ପରେ ରେକର୍ଡ ମୁହଁରେ କୌଣସି ତ୍ରୁଟି ପରିଲକ୍ଷିତ ହେଉନାହିଁ। ସୁପ୍ରିମ୍ କୋର୍ଟ ନିୟମ ୨୦୧୩ର ଆଦେଶ ଏକ୍ସଏଲ୍ଭିଆଇ ନିୟମ ୧ ଅଧୀନରେ ସମୀକ୍ଷା ପାଇଁ କୌଣସି ମାମଲା ନାହିଁ। ତେଣୁ ଏହି ରିଭ୍ୟୁ ପିଟିସନକୁ ଖାରଜ କରାଯାଇଛି ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ମେ ୯ ତାରିଖରେ ଦେଇଥିବା ରାୟରେ କହିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ୍ ଜେବି ପାର୍ଦିୱାଲା ରହିଛନ୍ତି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୭, ୨୦୨୨ର ରାୟରେ ୧୦ ପ୍ରତିଶତ ସଂରକ୍ଷଣକୁ ୩:୨ ସଂଖ୍ୟାଗରିଷ୍ଠତା ରେ ବଜାୟ ରଖାଯାଇଥିଲା। ଜଷ୍ଟିସ ମାହେଶ୍ୱରୀ, ତ୍ରିବେଦୀ ଏବଂ ପାର୍ଡିୱାଲା ଏହି ସଂଶୋଧନ ସମ୍ବିଧାନର ମୌଳିକ ଢାଞ୍ଚାକୁ ଉଲ୍ଲଂଘନ କରୁନାହିଁ ବୋଲି ସହମତ ହୋଇଥିବା ବେଳେ ତତ୍କାଳୀନ ପ୍ରଧାନ ବିଚାରପତି ୟୁୟୁ ଲଳିତ (ଅବସରପ୍ରାପ୍ତ) ଏବଂ ଜଷ୍ଟିସ ଭଟ୍ଟ ଏହାକୁ ବିରୋଧ କରିଥିଲେ। ସଂରକ୍ଷଣକୁ କେବଳ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗକୁ ସମାଜର ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତ କରିବା ପାଇଁ ନୁହେଁ, ବରଂ କୌଣସି ବର୍ଗ ବା ଅବହେଳିତ ବର୍ଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ଏକ ଉପକରଣ ବୋଲି ସଂଖ୍ୟାଗରିଷ୍ଠ ମତରେ ବର୍ଣ୍ଣନା କରାଯାଇଛି। ସଂଖ୍ୟାଲଘୁ ମତରେ ଇଡବ୍ଲ୍ୟୁଏସ୍ କୋଟା “ସମାନ ସୁଯୋଗର ସାର ସହିତ ବିରୋଧୀ” ଏବଂ “ସମାନତା କୋଡ୍ ର କେନ୍ଦ୍ରରେ ଆକ୍ରମଣ କରେ”।

ଜଷ୍ଟିସ ତ୍ରିବେଦୀ ଏବଂ ପାର୍ଡିୱାଲା ସଂରକ୍ଷଣର ଧାରଣାକୁ ସୀମିତ ସମୟ ପାଇଁ ପରିକଳ୍ପନା କରିଥିଲେ ଏବଂ ଏହାକୁ ତତ୍କାଳୀନ ବାସ୍ତବତା ସହିତ ପୁନର୍ବିଚାର ଏବଂ ସୁଧାରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜଷ୍ଟିସ ପାର୍ଦିୱାଲା କହିଛନ୍ତି, ସଂରକ୍ଷଣକୁ ନ୍ୟସ୍ତ ସ୍ୱାର୍ଥ ରେ ପରିଣତ ହେବାକୁ ଦିଆଯିବା ଉଚିତ ନୁହେଁ। ତାମିଲନାଡୁର ଶାସକ ଡିଏମକେ ସମେତ ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍ କୋର୍ଟରେ ଅନେକ ପିଟିସନ୍ ଦାଖଲ କରାଯାଇଥିଲା।