ଯୁକ୍ତ ୨ ରେଜଲ୍ଟ ପ୍ରକାଶ: ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ସିମୁଳିଆ ଗ୍ରାମର ଲକ୍ଷ୍ମଣ ମହଲ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ଇତିଶ୍ରୀ ଏବଂ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ଅଟନ୍ତି।

ପରିବାର ଚାପ ନା ମାର୍କରେ ଅସନ୍ତୁଷ୍ଟ ଜଣା ପଡିନାହିଁ

 

ଭୁବନେଶ୍ବର : ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟରେ ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ଭାବରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦୁଇଟି ଛାତ୍ରୀ। ରେଜଲ୍ଟରେ ସନ୍ତୁଷ୍ଟ ନହୋଇ ବାଲେଶ୍ୱର ଜିଲ୍ଲାର ଏକ ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାର ନୀଳଗିରି ଏନଏସି ଅନ୍ତର୍ଗତ ସିମୁଳିଆ ଗ୍ରାମର ଲକ୍ଷ୍ମଣ ମହଲ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ଇତିଶ୍ରୀ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ଜଣେ ଛାତ୍ରୀ।

ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ଇତିଶ୍ରୀ ପରୀକ୍ଷାରେ ଦ୍ବିତୀୟ ଶ୍ରେଣୀରେ ନମ୍ବର ରଖିଥିବାରୁ ଅସନ୍ତୁଷ୍ଟ ହୋଇପଡ଼ିଥିଲେ। ଅତ୍ୟନ୍ତ ଦୁଃଖିତ ହୋଇ ସେ ନିଜ ଘରଛାତକୁ ଯାଇ ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଚମତ୍କାର ଭାବେ ବଞ୍ଚିଯାଇଥିଲେ ମଧ୍ୟ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ପଟ୍ଟାମୁଣ୍ଡାଇର ଅନ୍ୟ ଛାତ୍ରୀ ଜଣଙ୍କ ଯୁକ୍ତ ଦୁଇରେ ୮୭% ମାର୍କ ରଖିଥିଲେ ବି ବ୍ରାହ୍ମଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଛି।