୨-୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ: ଆଇଏମଡି
ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି
ଗ୍ରୀଷ୍ମ ପ୍ରବାହ କମିବାର ସମ୍ଭାବନା
ଭୁବନେଶ୍ବର : ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଏବଂ ପୂର୍ବ ଉତ୍ତରପ୍ରଦେଶକୁ ଆସିବାର ପରିସ୍ଥିତି ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତାକାଲିଠାରୁ ପୂର୍ବ ଭାରତ ଏବଂ ଏହାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ହ୍ରାସ ପାଇବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରି ଅଧିକ ରହିବ।