ଫେସିଆଲ ରେକଗ୍ନିଶନ ଦ୍ୱାରା ପୁରୀରୁ ଧରାପଡିଲେ ୯୨ ଲୁଟେରା

ଫେସିଆଲ ରେକଗ୍ନିଶନ ସଫ୍ଟୱେର ମାଧ୍ୟମରେ ପୁଲିସ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍ ରଥଯାତ୍ରା ସମୟରେ ୯୦ରୁ ଅଧିକ ଲୁଟେରାଙ୍କୁ ଗିରଫ କରିଛି

ଓଡିଶାର ୪୧, ବାକି ଆନ୍ତଃରାଜ୍ୟ ଲୁଟେରା

ପୁରୀ: ଚଳିତ ବର୍ଷ ରଥଯାତ୍ରା ସମୟରେ ଧରାପଡିଛନ୍ତି ୯୦ ଲୁଟେରା। ଫେସିଆଲ ରେକଗ୍ନିଶନ ସଫ୍ଟୱେର ସହ ଭିଡ଼ର ଆଚରଣ ବିଶ୍ଳେଷଣ ପାଇଁ ପ୍ରଶିକ୍ଷଣ ନେଇଥିବା ପୁରୀ ପୁଲିସ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍ ରଥଯାତ୍ରା ସମୟରେ ୯୦ରୁ ଅଧିକ ଲୁଟେରାଙ୍କୁ ଗିରଫ କରିଛି। ଏହାସହ ଚୋରି ହୋଇଥିବା ୬୦ଟି ମୋବାଇଲ ଫୋନ୍ ମାଲିକଙ୍କୁ ଫେରାଇ ଦେଇଛି ପୋଲିସ।

ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ କହିଛନ୍ତି, ରାଜ୍ୟରେ ପ୍ରଥମ ଥର ପାଇଁ ପରୀକ୍ଷାମୂଳକ ଭାବେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୪ଟି ଫେସିଆଲ୍ ରେକଗ୍ନିସନ୍ କ୍ୟାମେରା ଲଗାଯାଇଥିଲା। ୧୧ ଜଣିଆ ଟିଏସିଟି (ଟେମ୍ପଲ ଆକ୍ସନ ଚେନ୍ ସ୍ନେଚିଂ ନିବାରଣ ଦଳ) ଗଠନ କରାଯାଇଥିଲା, ଯେଉଁଥିରେ ପ୍ରତି ଟିମରେ ୪- ୬ ଜଣ ଏପିଆର (ସଶସ୍ତ୍ର ପୋଲିସ ରିଜର୍ଭ) ଯବାନ ଥିଲେ। ଭିଡ଼ ସମୟରେ ଲୋକଙ୍କ ଆଚରଣଗତ ଦିଗକୁ ଅନୁଧ୍ୟାନ ଓ ବିଶ୍ଳେଷଣ କରିବା ପାଇଁ ଦଳଗୁଡ଼ିକୁ ଆଗୁଆ ପ୍ରଶିକ୍ଷଣ ଦିଆଯାଇଥିଲା। ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସାଦା ପୋଷାକରେ ଟିଏସିଟି ସଦସ୍ୟଙ୍କୁ ମୁତୟନ କରାଯାଇଥିଲା। ଆମେ ୩୦୦ ଅସାମାଜିକ ତତ୍ତ୍ୱର ତଥ୍ୟ ଅପଲୋଡ୍ କରିବା ପାଇଁ ଏସ୍ ସିଆର୍ବି (ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋ)କୁ ପଠାଇଥିଲୁ। ଆମର ପ୍ରାଥମିକ ଚିନ୍ତା ଥିଲା ତୀର୍ଥଯାତ୍ରୀଙ୍କ ସୁରକ୍ଷା। ତଦନ୍ତ କରିବା ପରେ ଜୁନ୍ ୩୦ ତାରିଖ ସୁଦ୍ଧା ଓଡ଼ିଶାର ୪୧ ଜଣ ଓ ପଶ୍ଚିମବଙ୍ଗର ୨୩ ଜଣ, ଆନ୍ଧ୍ରପ୍ରଦେଶ (୯), ବିହାର (୮), ଉତ୍ତରପ୍ରଦେଶ (୫), ଛତିଶଗଡ଼ (୪), ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ (୧ ଜଣ ଲେଖାଏଁ) ମିଶାଇ ମୋଟ ୯୨ ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି।

ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ରଥଯାତ୍ରା ବେଳେ ରଥ ଟାଣିବା ସମୟରେ ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରିବା ପାଇଁ ପକେଟ, ଚେନ୍ ଓ ମୋବାଇଲ ଲୁଟେରାମାନେ ଭିଡ଼ ଜମାଇଛନ୍ତି।