୩ ବର୍ଷର ଝିଅକୁ ହତ୍ୟା: ୧୦ ବର୍ଷ ପରେ ବାପାଙ୍କୁ ଗିରଫ କଲା କ୍ରାଇମବ୍ରାଂଚ

୨୦୧୩ ମସିହାରେ ୩ ବର୍ଷର ଝିଅକୁ ହତ୍ୟା କରିଥିଲା ବାପା । ୧୦ ବର୍ଷ ପରେ ଅଭିଯୁକ୍ତ ବାପାଙ୍କୁ ଗିରଫ କଲା କ୍ରାଇମବ୍ରାଂଚ ।

ମହାରାଷ୍ଟ୍ରରୁ ଗିରଫ କଲା ଓଡିଶା କ୍ରାଇମବ୍ରାଂଚ

ଭୁବନେଶ୍ୱର: ୨୦୧୩ ମସିହାରେ ୩ ବର୍ଷର ଝିଅକୁ ହତ୍ୟା କରିଥିଲା ବାପା । ୧୦ ବର୍ଷ ପରେ ଅଭିଯୁକ୍ତ ବାପାଙ୍କୁ ଗିରଫ କଲା କ୍ରାଇମବ୍ରାଂଚ । ଅଭିଯୁକ୍ତ ପ୍ରଶାନ୍ତ ସାହାଣୀଙ୍କୁ ମହାରାଷ୍ଟ୍ରର ଥାନେ ଅଂଚଳର ମୁରବାଦରୁ ଓଡିଶା କ୍ରାଇମବ୍ରାଂଚ ଗିରଫ କରିଛି । ପାରିବାରିକ କଳହରୁ ୧୩ ଅଗଷ୍ଟ ୨୦୧୩ରେ ପ୍ରଶାନ୍ତ ନିଜ ଝିଅକୁ କେନ୍ଦୁଝର ବୈତରଣୀ ନଦୀରେ ଫିଙ୍ଗି ହତ୍ୟା କରିଥିବା ସ୍ୱୀକାର କରିଛି । ଏ ସଂକ୍ରାନ୍ତରେ ପ୍ରଶାନ୍ତଙ୍କ ପତ୍ନୀ ପୂଜା ସାହାଣୀ ଥାନାରେ ଅଭିଯୋଗ କରିଥିଲେ ।
ସୂଚନାନୁଯାୟୀ, କେନ୍ଦୁଝରର ଚମ୍ପୁଆ ଅଂଚଳର ପ୍ରଶାନ୍ତଙ୍କ ସହ ପୂଜାଙ୍କର ୨୦୧୦ ମସିହାରେ ବିବାହ ହୋଇଥିଲା । ସେତେବେଳେ ପ୍ରଶାନ୍ତ ମହାରାଷ୍ଟ୍ରର ଏକ ଘରୋଇ କାରଖାନାରେ ଅଗ୍ନିଶମ କର୍ମଚାରୀ ଭାବେ କାମ କରୁଥିବାରୁ ଦୁହେଁ ଥାନେକୁ ଚାଲି ଯାଇଥିଲେ । ୨୦୧୧ରେ ପୂଜା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସେଠାରେ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ହେଉଥିଲା । ସେହିପରି ୨୦୧୩ ମସିହା ଅଗଷ୍ଟ ୧୮ରେ କେନ୍ଦୁଝରର ଫକୀରପଡାରେ ଦମ୍ପତିଙ୍କ ମଧ୍ୟରେ ଝଗଡା ହେବାରୁ ଅଭିଯୁକ୍ତ ସ୍ୱାମୀ ନିଜ ଝିଅକୁ ସାଇକେଲରେ ବସାଇ ବୈତରଣୀ ନଦୀକୁ ନେଇ ଫିଙ୍ଗି ଦେଇଥିଲେ । ଏହା ପରେ ପୋଲିସ ଗିରଫଦାରୀରୁ ବର୍ତିବା ପାଇଁ ବାରମ୍ବାର ରହିବା ସ୍ଥାନ ବଦଳାଉଥିଲା ଏବଂ ମୋବାଇଲ ଫୋନ ଓ ନମ୍ବର ମଧ୍ୟ ବଦଳାଉଥିଲା । ୨୦୧୪ରେ କୋର୍ଟଙ୍କ ନିଦେ୍ର୍ଦଶ ପରେ ପୋଲିସ ମହାରାଷ୍ଟ୍ରର ବିଭିନ୍ନ ଜାଗାରେ ଖୋଜିଲେ ମଧ୍ୟ ପାଉନଥିଲେ । କିନ୍ତୁ ଗତ ୨୦୨୩ ଜୁନ ୨୯ରେ ପୋଲିସକୁ ଖବର ମିଳିଥିଲା ଯେ ଅଭିଯୁକ୍ତ ଥାନେ ଅଂଚଳରେ ରହୁଛି । ପୋଲିସ ଅଭିଯୁକ୍ତକୁ ସେଠାରୁ ଆଣି ଓଡିଶା ଆସିଥିଲା ଓ ଏଠାରେ ପଚରାଉଚରା କରିବା ପରେ ସେ ନିଜର ଦୋଷ ସ୍ୱୀକାର କରିବା ପରେ ତାକୁ ଗିରଫ କରାଯାଇଛି ।