ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ: ଆଜି ବି ମନରେ ଭୟ ଉଜ୍ଜୀବିତ

ବାହାନଗା ରେଳ ଦୁର୍ଘଟଣାକୁ ବିତିଲା ଏକ ମାସ । ଜୁନ ୨ରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା ।

କାଳ ରାତ୍ରି ପାଇଁ ଆଜି ବି ଲୋକେ ଭୟଭୀତ ଓ ଆତଙ୍କୀତ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାକୁ ବିତିଲା ଏକ ମାସ । ଜୁନ ୨ରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା । ସାରା ବିଶ୍ୱକୁ କରି ଦେଇଥିଲା ସ୍ତବ୍ଧ । ଇତି ମଧ୍ୟରେ ସେହି ଭୟ ଆଜି ବି ତାଜା ହେଇ ରହିଛି ଲୋକଙ୍କ ମନରେ । ଲୋକଙ୍କ ମନରୁ ପାସୋରି ଯାଇନି ସେହି କଳା ଦିନର ରାତି । ଲୋକଙ୍କ ମନରେ ଭରି ରହିଛି ଭୟ ଓ ଆତଙ୍କ । ଥରେ ସେହି ଦୁର୍ଘଟଣାର ଲୋମଟାଙ୍କୁରା ଦୃଶ୍ୟ ମନେ ପଡିଗଲେ ଦେହ ଶିତେଇ ଉଠୁଛି । ବାହାନଗା ଦେଇ ଗଲେ ଥରୁଟେ ହେଉ ପଛକେ, ବୁଲିକି ଦୁର୍ଘଟଣାସ୍ଥଳକୁ ଚାହିଁ ରହୁଛନ୍ତି ଲୋକେ । କେମିତି ହେଲା ସେହି ଦୁର୍ଘଟଣା, କାହିଁକି ହେଲା ସେହି ଦୁର୍ଘଟଣା, କେତେ ପରିବାର କେତେ ଯେ ସଦସ୍ୟ ହରାଇଥିବେ ସେଦିନ, ଦୁର୍ଘଟଣାର ଶିକାର ବ୍ୟକ୍ତି କେମିତି କରିଥିବେ ସଂଘର୍ଷ ଏହି ସବୁ ପ୍ରଶ୍ନ ଆଜି ବି ଲୋକେ ମନରେ ଉଙ୍କି ମାରୁଛି । ବାହାନଗା ଦୁର୍ଘଟଣା ପରଠାରୁ କୌଣସି ରେଳରେ ଯାତ୍ରା କରିବା ପାଇଁ ଲୋକେ ଡରୁଛନ୍ତି । ଆଗରୁ ଟ୍ରେନରେ ଯାତ୍ରା କରିବା ପାଇଁ ଲୋକଙ୍କ ମନରେ ଉକôଂଠା ଭରି ରହିଥିବା ବେଳେ ଏବେ ଟ୍ରେନରେ ଯିବା ପାଇଁ ହେଲେ ଅନେକ ଥର ଭାବିଚିନ୍ତି ହେଉଛନ୍ତି । ସେଦିନ ଦୁର୍ଘଟଣାରେ ସରକାରୀ ରେକର୍ଡ ଅନୁଯାୟୀ ୨୮୮ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୦୦ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । କିନ୍ତୁ ବେସରକାରୀ ସୂତ୍ରରୁ ଆହୁରି ବେଶୀ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଥିଲା ।
ଜୁନ ୨ରେ ବାଙ୍ଗାଲୋର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ ଏକ୍ସପ୍ରେସ ଓ ଏକ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଯାଏଁ ୨୯୩ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ମୃତକଙ୍କ ପରିବାର ମୃତଦେହକୁ ନେଇ ଯାଇଥିବା ବେଳେ ଆହୁରି ମୃତଦେହ ଏମ୍ସ ମେଡିକାଲରେ ଅଛି । ପରିବାରର ସମ୍ପର୍କୀୟ ଓ ମୃତ ଦେହ ମଧ୍ୟରେ ଡିଏନଏ ଟେଷ୍ଟ କରି ୧୩ ଜଣଙ୍କ ସମ୍ପର୍କୀୟ ମୃତଦେହ ଚିହ୍ନଟ କରି ନେଇ ସାରିଲେଣି । ଆହୁରି କେତେକ ମୃତଦେହର ଡିଏନଏ ମ୍ୟାଚ ହୋଇ ପାରୁନାହିଁ । ମୃତଦେହକୁ ଗନ୍ତବ୍ୟସ୍ଥଳକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଏହି ଘଟଣାର ତଦନ୍ତ ପାଇଁ ସିବିଆଇ ଖୋଳତାଡ କରିବା ଆରମ୍ଭ କରିଦେଇଛି । ଏହା ଏକ ମାନବୀକୃତ ନା ବୈଷୟିକ ତ୍ରୁଟି ପାଇଁ ଏଭଳି ଦୁର୍ଘଟଣା ହୋଇଛି, ତାକୁ ଧ୍ୟାନରେ ରଖି ସିବିଆଇ ତଦନ୍ତ କରୁଛି ।