ଶିକ୍ଷାନୁଷ୍ଠାନରେ ମାଡିଲା କରୋନା, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ୪୪ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ

କଟକ କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଲୟରେ ୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ୨୩୪ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ୨୩୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ କଟକ ମହାନଗର ନିଗମ  ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପୂର୍ବରୁ କଟକ ମହାନଗର ନିଗମ ଅଫିସର ୮ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।  ଏହାପରେ ସିଏମ୍‌ସିରେ କୋଭିଡ୍ ନିୟମକୁ କଡାକଡି କରାଯାଇଛି । ମାସ୍କ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯିବା ସହ ଆବଶ୍ୟକ ନଥିଲେ ସିଏମ୍‌ସି ଅଫିସକୁ ଆସିବାକୁ ଲୋକଙ୍କୁ ବାରଣ କରାଯାଇଛି ।  ସହରରେ ସଂକ୍ରମଣ ସଂଖ୍ୟା ବଢୁଥିଲେ ବି ଲୋକେ କିନ୍ତୁ ଚେତୁ ନାହାନ୍ତି ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ନିୟମକୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି ।  ତେବେ ଏବେଠୁ ନିୟମ ନମାନିଲେ ଆଗକୁ ବଡ ବିପଦ ଆସିପାରେ ବୋଲି ସହରବାସୀଙ୍କୁ ଚେତାଇ ଦେଇଛନ୍ତି ମେୟର । କୋଭିଡ୍ କଟକଣା ପାଳନ ନକଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମେୟର କହିଛନ୍ତି ।