ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଉଚ୍ଚଶିକ୍ଷାନୁଷ୍ଠାନରେ ଦିଆଯିବ କରୋନା ଟିକା

ଭୁବନେଶ୍ବର: ରାଜ୍ୟର ସବୁ କଲେଜରେ କୋଭିଡ-୧୯ ଟିକା ଦିଆଯିବ। ଇଂଞ୍ଜିନିୟରିଂ କଲେଜ, ହଷ୍ଟେଲ ସହ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ କରୋନା ଟିକା ଦିଆଯିବ। କୋଭିଡ ଟିକାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଟିକାକରଣ ଉପରେ ପ୍ରାଥମିକତା ଦିଆଯାଇଥିଲା । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ ଜୁଲାଇ ୧୫ ତାରିଖ ଠାରୁ ୫୯ ବର୍ଷ ବୟସ ଯାଏ ମାଗଣା ବୁଷ୍ଟର ଡୋଜ ଟିକା ପ୍ରଦାନ କରାଯିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗର ରିପୋର୍ଟ ଅନୁସାରେ ଆଜି ରାଜ୍ୟରେ ୮୦୪ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଥିଲେ।