ନୂଆ ଓଡ଼ିଶା ଏକ ନିଆରା ରୂପାନ୍ତର କାହାଣୀ: ମୁଖ୍ୟମନ୍ତ୍ରୀ

ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ୫୩ ନମ୍ବର ଏନଏଚ ନିର୍ମାଣ ପାଇଁ ଲୋକାର୍ପଣ କରିଛନ୍ତି।

ଜାତୀୟ ରାଜପଥ ସହ ଦେଶର ପ୍ରଗତି ଜଡିତ: ଅମିତ ଶାହ

ଭୁବନେଶ୍ଵର;୫/୮/୨୩: ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷା ନଗର-ଡୁବୁରି ସେକ୍ସନକୁ ୪ ଲେନ୍ କରିବା ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ୭୬୧ କୋଟି ଟଙ୍କା ବ୍ୟୟରେ ଏହି ୫୧ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଯାହା ତାଳଚେରର କୋଇଲା ବେଲ୍ଟକୁ ଯାଜପୁରର କଳିଙ୍ଗ ନଗରସ୍ଥିତ ଇସ୍ପାତ କେନ୍ଦ୍ର ସହ ସଂଯୋଗ କରିବ। ଏହାବ୍ୟତୀତ କଳାହାଣ୍ଡିର ଲାଡୁଗାଁ ଦେଇ ମୋଟର-ବ୍ୟାନର ରୋଡର ପ୍ରଶସ୍ତୀକରଣ ଓ ମରାମତି ପାଇଁ ଶିଳାନ୍ୟାସ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନୂଆ ଓଡ଼ିଶା ଏକ ଅନନ୍ୟ ରୂପାନ୍ତର କାହାଣୀ ଯାହା ବିଭିନ୍ନ କ୍ଷେତ୍ରରେ ମାନଦଣ୍ଡ ସୃଷ୍ଟି କରିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ବିଶ୍ୱାସ କରନ୍ତି ଯେ ରାଜ୍ୟର ପ୍ରଗତି ଏବଂ ଜନସାଧାରଣଙ୍କ ସଶକ୍ତୀକରଣ ପାଇଁ ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ। ମାଲକାନଗିରିର ସ୍ୱାଭିମାନ ଅଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁର ଉଦାହରଣ ଦେଇ ସେ କହିଛନ୍ତି ଯେ, ଏହି ସେତୁ ନିର୍ମାଣ ସମଗ୍ର ଅଞ୍ଚଳର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶା ସହ ସଂଯୋଗ କରୁଥିବା ଅର୍ଥନୈତିକ କରିଡର ବିଜୁ ଏକ୍ସପ୍ରେସ୍ ୱେ ଏହି ଅଞ୍ଚଳର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ହେବ।

୨୦୦୦ ମସିହା ପରଠାରୁ ରାଜ୍ୟ ପୂର୍ତ୍ତ ବିଭାଗର ବଜେଟ୍ ପ୍ରାୟ ୨୮୦ କୋଟି ଟଙ୍କାରୁ ବୃଦ୍ଧି ପାଇ ଏବେ ୧୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଚଳିତ ବର୍ଷ ଆମେ ୬୫୦୦ କିଲୋମିଟର ରାସ୍ତାର ଉନ୍ନତି ଏବଂ ପାଖାପାଖି ୩୦୦ ପୋଲ ନିର୍ମାଣ କରିବାକୁ ଯୋଜନା କରୁଛୁ ଯାହା ଅଭିବୃଦ୍ଧି ଏବଂ ସୁଯୋଗକୁ ବ୍ୟାପକ ଗତି ପ୍ରଦାନ କରିବ। ଗତ କିଛି ବର୍ଷ ମଧ୍ୟରେ ଜୟପୁର ଓ ଉତ୍କେଲାରେ ଦୁଇଟି ବିମାନ ବନ୍ଦର ଏବଂ ମାଲକାନଗିରିରେ ଗୋଟିଏ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣ ଚାଲିଛି। ଓଡ଼ିଶା ସର୍ବଦା ସମବାୟ ସଂଘବାଦରେ ବିଶ୍ୱାସ କରେ ତେଣୁ ବିକାଶ ମୂଳକ କାର୍ଯ୍ୟସୂଚୀରେ ଓଡ଼ିଶାକୁ ସହଯୋଗ କରିଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ଦେଶର ଭବିଷ୍ୟତ, ରାଷ୍ଟ୍ରର ବିକାଶ ଜାତୀୟ ରାଜପଥ ସହ ନିବିଡ଼ ଭାବେ ଜଡ଼ିତ। ସେଥିପାଇଁ କେନ୍ଦ୍ର ସରକାର ଏନଏଚ ନିର୍ମାଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନ ପ୍ରତିଦିନ ପ୍ରାୟ ୨୯ କିଲୋମିଟର ଏନଏଚ ନିର୍ମାଣ କରାଯାଉଛି ବୋଲି ସେ କହିଛନ୍ତି ସାମ୍ପ୍ରତିକ ସମୟରେ ଭାରତ ସରକାରଙ୍କ ଭିତ୍ତିଭୂମି ପ୍ରୋତ୍ସାହନ ବିଷୟରେ ସେ ଆଲୋକପାତ କରିଥିଲେ। ଗତ ୯ ବର୍ଷରେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରି ଗୃହମନ୍ତ୍ରୀ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ପ୍ରାୟ ଶୂନ୍ୟ କ୍ଷୟକ୍ଷତି ହାସଲ କରିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଓଡ଼ିଶାରେ ନକ୍ସଲ ଆତଙ୍କ ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଦୃଷ୍ଟିକୋଣ ଆକାରରେ ପୂର୍ବରାଜ୍ୟଗୁଡ଼ିକ ପ୍ରତି ଗୁରୁତ୍ବପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ଓଡ଼ିଶାକୁ କେନ୍ଦ୍ରରୁ ଯଥେଷ୍ଟ ଅର୍ଥ ମିଳିଛି।

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗତ ୨୩ ବର୍ଷ ମଧ୍ୟରେ ରାଜ୍ୟରେ କେଉଁ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନିଆଯାଇଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ରାଉରକେଲାରୁ ଅମ୍ପାନି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେର ଏକ ଅଂଶ ସମ୍ପୂର୍ଣ୍ଣ ହେବା ଉପରେ ସେ ଆଲୋକପାତ କରିଥିଲେ ଯାହା ଅଞ୍ଚଳର ଅର୍ଥନୈତିକ ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ମୁଖ୍ୟ ଶାସନ ସଚିବ ପିକେ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏନ୍ଏଚ୍ଏଆଇ ସଦସ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।