ଗଞ୍ଜେଇ ଚୋରା ଚାଲାଣରେ ଆଇଆଇସିଙ୍କ ସମ୍ପୃକ୍ତି: ତାତିଲେ ଗ୍ରାମବାସୀ

କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣରେ ଫିରିଙ୍ଗିଆ ଥାନାର ଆଇଆଇସିଙ୍କ ସମ୍ପୃକ୍ତି ଥିବା ଜଣା ପଡିବା ପରେ ଗ୍ରାମବାସୀ ତାତିଛନ୍ତି।

ଥାନାରେ ଲଗାଇଲେ ନିଆଁ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣରେ ଫିରିଙ୍ଗିଆ ଥାନାର ଆଇଆଇସିଙ୍କ ସମ୍ପୃକ୍ତି ଥିବା ଜଣା ପଡିବା ପରେ ଗ୍ରାମବାସୀ ତାତିଛନ୍ତି। ଏହି ଗଞ୍ଜେଇ ଚୋରା ଚାଲାଣରେ ଆଇଆଇସି ଓ ହୋମଗାର୍ଡ ସମ୍ପୃକ୍ତି ଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇଥିବାରୁ ଗ୍ରାମବାସୀମାନେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବୁଢ଼ାକମ୍ବା ଗାଁକୁ ଗଞ୍ଜେଇ ବୋଝେଇ ଏକ ପୁଲିସ ଭ୍ୟାନ୍ ଯାଇଥିଲା। ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଓ ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁରଙ୍କ ନେତୃତ୍ୱରେ ଗ୍ରାମବାସୀ ଗାଡ଼ିକୁ ଅଟକ ରଖି ଗଞ୍ଜେଇ ବୋଝେଇ ଗାଡ଼ିର ଭିଡିଓ ରେକର୍ଡ କରି କନ୍ଧମାଳ ଏସପିଙ୍କ ନିକଟକୁ ପଠାଇ ଫିରିଙ୍ଗିଆ ଥାନାର ପୋଲିସ ଅଧିକାରୀ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ। କିନ୍ତୁ ଉକ୍ତ ଥାନାର ଆଇଆଇସି ଓ ହୋମଗାର୍ଡଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶତାଧିକ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଫିରିଙ୍ଗିଆ ମୁଖ୍ୟ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ବିକ୍ଷୋଭ ଜାରି ରହିବା ପରେ ଫୁଲବାଣୀ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ବୁଝାସୁଝା କରିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଗ୍ରାମବାସୀ ତାଙ୍କ କଥାକୁ ଗୁରୁତ୍ୱ ନଦେଇ ଫିରିଙ୍ଗିଆ ଥାନାକୁ ଯାଇ ଭଙ୍ଗାରୁଜା କରିଥିଲେ। ଥାନା ଭିତରେ ଥିବା ଫାଇଲ, କାଗଜପତ୍ର ଓ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲେ।