ଓଡିଆ ସାଇନବୋର୍ଡ ନିୟମ ଉଲ୍ଲଂଘନକାରୀ ଗଣିବେ ତଣ୍ଡ
ଓଡିଆ ସାଇନବୋର୍ଡ ନିୟମ ଉଲ୍ଲଂଘନ କରୁଥିବା ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂଗଠନକୁ କଡା ଚେତାବନୀ ଦେଇଛନ୍ତି ଓଡିଶା ସରକାର
ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତି
ଭୁବନେଶ୍ୱର: ରାଜ୍ୟରେ ଓଡିଆ ସାଇନବୋର୍ଡ ନିୟମ ଉଲ୍ଲଂଘନ କରୁଥିବା ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂଗଠନକୁ କଡା ଚେତାବନୀ ଦେଇଛନ୍ତି ଓଡିଶା ସରକାର । ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି ରାଜ୍ୟ ସରକାର । ପ୍ରଥମେ ନିୟମ ଉଲ୍ଲଂଘନକାରୀଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ କାରଣ ଦର୍ଶାଅ ନୋଟିସ୍ ଓ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଯଦି ଉକ୍ତ ସଂସ୍ଥା ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ କରନ୍ତି ତାହାଲେ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ କହିଛନ୍ତି, ଅନେକ ସଂସ୍ଥା ସହ ବାରମ୍ବାର ବୈଠକ ଓ ସ୍ମାରକପତ୍ର ସତ୍ୱେ ଓଡିଆ ସାଇନବୋର୍ଡ ନିୟମ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରିନାହିଁ । ମେ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଆହୁରି ଜୋରଦାର କରାଯାଉଛି ।
ସୂଚନାନୁସାରେ, ଗତ ଦୁଇ ମାସରେ ଭୁବନେଶ୍ୱରର ୮ଟି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଖୋର୍ଦ୍ଧାର ୧୪୮ରୁ ଅଧିକ ସଂଗଠନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେଥିମଧ୍ୟରୁ ୬୧ଟି ପ୍ରତିଷ୍ଠାନ ତୁରନ୍ତ ଓଡିଆ ସାଇନବୋର୍ଡ ଲଗାଇଥିବା ବେଳେ ଅନେକ ନିୟମ ଉଲ୍ଲଂଘନ କରିଛନ୍ତି ।