ସଭିଙ୍କ ବିକାଶ, ପ୍ରକୃତ ବିକାଶ: ମୁଖ୍ୟମନ୍ତ୍ରୀ

ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ପତାକା ଉତୋଳନ କରିଛନ୍ତି

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ପତାକା ଉତୋଳନ କରିଛନ୍ତି । ଭୁବନେଶ୍ୱରର ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ପତାକା ଉତୋଳନ କରିବା ସହ ଅନେକ ସ୍ୱାଧୀନତା ସଂଗ୍ରାମୀ ତଥା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାସ, ସହିଦ ଲକ୍ଷବଚ୍ଚ ନାୟକ, ବିର୍ସା ମୁଣ୍ଡା ପ୍ରମୁଖଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ । ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ପାଇଁ ଆଜି ଆମେ ଏକ ସ୍ୱାଧୀନ ଦେଶରେ ବଂଚି ପାରିଛୁ । ଦେଶ ସ୍ୱାଧୀନ ହେବା ପରେ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା । ଆଜି ଭାରତ ଏକ ପ୍ରମୁଖ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛି । ଭାରତ ଆଜି ଅନେକ କ୍ଷେତ୍ରରେ ସଫଳ ହୋଇଛି । ସେହିଭଳି ଓଡିଶା ମଧ୍ୟ ବିକାଶ ଧାରାରେ ଆଗେଇ ଚାଲିଛି । ବଦଳୁଛି ଓଡିଶାର ଅର୍ଥନୀତି । ଦାରିଦ୍ର‌୍ୟ ହ୍ରାସ ପାଉଛି । ଶିକ୍ଷା, କୃଷି, ସ୍ୱାସ୍ଥ୍ୟସେବା, ଭିତିଭୂମି ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଦ୍ରୁତ ଗତିରେ ଆଗେଇ ଚାଲୁଛି । ଯୁବପିଢିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରି ଓଡିଶାରେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ହେଉଛି । ମଧୁବାବୁ ପେନସନ ଜରିଆରେ ୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇ ଆଜିଠାରୁ ଏହି ଯୋଜନା ଅଧିନରେ ପେନସନ ମିଳିବ । ମିଶନ ଶକ୍ତିର ମା’ମାନଙ୍କ ଆଜି ବିକାଶ ଆଗେଇ ଚାଲିଛି । ସମସ୍ତଙ୍କ ବିକାଶ ହିଁ, ପ୍ରକୃତ ବିକାଶ । ଓଡିଶାର ପ୍ରଗତି ଓ ବିକାଶରେ ସହଯୋଗ କରିବା ସହ ଏହାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ରାଜଧାନୀରେ ସ୍ୱାଧୀନତା ଦିବସ ଅବସରରେ କଡା ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ୧୫ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର, ଡଗ ସ୍କ୍ୱାଡ ଓବଂ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ମୁତୟନ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ସକାଳ ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ରାମ ମନ୍ଦିର ସମ୍ମୁଖ ରାସ୍ତାକୁ ସିଲ କରାଯାଇଥିଲା