ଲାଲକିଲ୍ଲାରୁ ଉଡିଲା ଦେଶର ତ୍ରିରଙ୍ଗା

ସ୍ୱାଧୀନତା ଦିବସ ଅବସରରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତୋଳନ କରିଛନ୍ତି

ସ୍ୱାଧୀନତା ଦିବସରେ ମୋଦିଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତୋଳନ କରିଛନ୍ତି । ଆଜି ସକାଳ ସାଢେ ୭ଟାରେ ପ୍ରଧାନମନ୍ତ୍ରୀ ପତାକା ଉତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି ଦେଶବାସୀଙ୍କୁ ନିଜର ପରିବାର ବୋଲି ସମ୍ବୋଧିତ କରି ‘ମେରେ ପ୍ରିୟ ୧୪୦ କୋଟି ପରିବାରଜନ’ କହି ମୋଦି ତାଙ୍କ ଅଭିଭାଷଣ ଆରମ୍ଭ କରିଛନ୍ତି । ମୋଦି କହିଥିଲେ ଯେ, ‘‘ଦେଶ ଏବେ ଏକ ନିର୍ଣ୍ଣାୟକ ମୁହୂର୍ତରେ ଛିଡା ହୋଇଛି । ଏବେ ଦେଶ ନୂଆ ସଂକଳ୍ପ ନେଇ ଆଗକୁ ବଢୁଛି । ଆମକୁ ଦାସତ୍ୱର ମାନସିକତାରୁ ବାହାରିବାକୁ ପଡିବ । ଆଜି ଆମେ ଯାହା କରିବୁ, ତାହା ୧୦ ବର୍ଷ ପାଇଁ ଦିଗ ନିର୍ଦ୍ଧାରଣ କରିବାକୁ ଯାଉଛି । ଯୁବଶକ୍ତିମାନଙ୍କୁ ଯେଉଁ ସୌଭାଗ୍ୟ ମିଳିଛି, ତାହାକୁ ହରାଇବା ଉଚିତ୍ ନୁହେଁ । ଯୁବଶକ୍ତିରେ ଇଚ୍ଛା ଶକ୍ତି ରହିଛି । ଆମର ନୀତି ଓ ଅଭ୍ୟାସକୁ ସୁଦୃଢ କରିବା ପାଇଁ ଉଦ୍ଦିଷ୍ଟ । ସୁଯୋଗର ଅଭାବ ନାହିଁ । ଆପଣ ଯେତିକି ସୁଯୋଗ ଚାହାନ୍ତି, ଆକାଶଠାରୁ ଅଧିକ ସୁଯୋଗ ଦେବାର ଶକ୍ତି ଏହି ଦେଶ ପାଖରେ ରହିଛି । ଷ୍ଟାର୍ଟଅପର ଶକ୍ତି ଦେଶକୁ ଇକୋସିଷ୍ଟମରେ ଏକ ସ୍ଥାନ ଦେଇଛି । ଆଗାମୀ ଦିନରେ ବିକାଶରେ ଏହାର ଭୂମିକା ରହିବ । ମୁଁ ଯେତେବେଳେ ବାଲିରେ ଜି-୨୦ ଶିଖର ସମ୍ମିଳନୀକୁ ଯାଇଥିଲି, ସେତେବେଳେ ସମସ୍ତେ ଆମର ବୈଷୟିକ ବିକାଶ ଉପରେ ପ୍ରଶ୍ନ ପଚାରୁଥିଲେ । ମୁଁ କହୁଥିଲି, ଭାରତ ଯାହା କରିଛି ତାହା କେବଳ ବଡ ସହରରେ ସୀମିତ ନୁହେଁ । ଛୋଟ ଛୋଟ ସହରର ଯୁବକମାନେ ମଧ୍ୟ ଏହାର ଫାଇଦା ନେଉଛନ୍ତି । ଆଜି ପ୍ରଗତି ପଥରେ ଯାଉଥିବା ଦେଶର ଝିଅ, ମା’ ଭଉଣୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ମୁଁ କୃଷକମାନଙ୍କୁ ସଲାମ କରିବାକୁ ଚାହୁଁଛି, ଆପଣଙ୍କ ପ୍ରୟାସ ହେଉଛି ଦେଶ କୃଷି କ୍ଷେତ୍ରରେ ଆଗକୁ ବଢୁଛି । କରୋନା କାଳ ପରେ ବିଶ୍ୱ ନୂଆ କରି ଚିନ୍ତା କରିବା ଆରମ୍ଭ କରିଥିଲା । କରୋନା ପରେ ଏକ ନୂଆ ଅର୍ଥ ବ୍ୟବସ୍ଥା ଆସିଥିଲା । କରୋନା ଆମକୁ ଶିଖାଇଛି ଯେ, ମାନ ସମ୍ବେଦନଶୀଳନା ବ୍ୟତୀତ ବିଶ୍ୱର ବିକାଶ କରି ପାରିବୁନାହିଁ ।’’ ମଣିପୁରରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଓ ଅତ୍ୟାଚାରକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଶାନ୍ତି ମାଧ୍ୟମରେ ମଣିପୁରରେ ସମାଧାନର ବାଟ ବାହାର କରାଯିବ । ଏହାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି ଏବଂ ଆଗକୁ ମଧ୍ୟ କରିବେ ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ, ପ୍ରତିରକ୍ଷା ସଚିବ ଗିରିଧର ଅରମଣେ ଏବଂ ତିନି ସେନା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୃତିର ପ୍ରାୟ ୧୮୦୦ ଲୋକଙ୍କୁ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ସରପଂଚ, ନର୍ସ, କୃଷକ ଓ ମତ୍ସ୍ୟଜୀବୀ, ସାଧାରଣ ବ୍ୟକ୍ତି ଭଳି ଅନେକ ଲୋକଙ୍କୁ ଆଜି ନିମନ୍ତ୍ରିତ କରାଯାଇଥିଲା ।