ସିଧାସଳଖ ଲୋକଙ୍କଠୁ ଜମି କିଣିବେ ସରକାର

ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ନ କରି ସିଧାସଳଖ ଜମି କିଣିବେ ସରକାର।

ରାଜଗାଙ୍ଗପୁରରେ ରେଳ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ

ଭୁବନେଶ୍ବର;୧୬/୮: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ଜମି କିଣିବେ। ଏ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ୧୧, ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସଂପର୍କରେ ସେ ଅବଗତ ହୋଇଥିଲେ ।

ଏହି ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ, ରେଳ ଓଭର ବ୍ରିଜ୍ ପାଇଁ ଆବଶ୍ୟକ ଜମିକୁ ସିଧାସଳଖ ରାଜ୍ୟ ସରକାର କିଣିନେଇ ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହି ରେଳ ଓଭର ବ୍ରିଜଟି ସୁନ୍ଦରଗଡ ଜିଲ୍ଲାର ସୋନାଖାନ୍ ଓ କାଂଶବାହାଲ ଷ୍ଟେସନ ମଧ୍ୟରେ ରାଜଗାଙ୍ଗପୁର ମୌଜାରେ ନିର୍ମାଣ କରାଯିବ ।