ଦୁଇଟି ପୃଥକ ସଡକ ଦୁର୍ଘଟଣା

ରାଜ୍ୟର ଦୁଇଟି ସ୍ଥାନରେ ପୃଥକ ଦୁର୍ଘଟଣା ଘଟି ୩ ଜଣ ମୃତ ଓ ୧୧ ଜଣ ଆହତ ହୋଇଛନ୍ତି ।

୩ ମୃତ, ୧୧ ଆହତ

କୋଲାବିରା/ବସ୍ତା: କୋଲାବିରାର କୁମୁଡାପାଲିଠାରେ ୪୬ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । କୋଲାବିରା ବିଜେପି ମଣ୍ଡଳ ସଭାପତି ରାଜେନ୍ଦ୍ର ଦାଶ ତାଙ୍କ କାରରେ ଯାଉଥିବା ବେଳେ ଏକ ବାଇକକୁ ଧକ୍କା ଦେଇଥିଲେ । ଯାହାଫଳରେ ବାଇକରେ ଥିବା ଅଞ୍ଜନ ପଟେଲ, ତାଙ୍କ ଭଉଣୀ ଅଞ୍ଜଳୀ ପଟଲେ ଓ ତାଙ୍କ ଝିଆରୀ ଅନିଷା ପଟେଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ରାଜେନ୍ଦ୍ର ଦାସ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି । ସେହିପରି ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ଭେଲୋରା ଛକ ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଦୁଇଟି ବସ ପରସ୍ପରକୁ ଧକ୍କା ଦେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ଜ୍ୟୋତି ଟ୍ରାଭେଲ୍ସ ନାମକ ଏକ ତୀର୍ଥଯାତ୍ରୀ ବସ୍ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ସାୟାନ ସାୟାନ୍ତିକା ନାମକ ବସକୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ବସ୍ତା ସ୍ଥିତ ଏକ ଡାକ୍ତରଖାନାରେ ଭର୍ତି କରାଯିବା ସହ ଘଟଣାସ୍ଥଳରେ ପୋଲିସ ପହଂଚି ଦୁଇଟି ବସକୁ ଜବତ କରିଛି ।