ରାଜ୍ୟ ସାରା ଡେଙ୍ଗୁ ଆତଙ୍କ

ଓଡ଼ିଶାରେ ଡେଙ୍ଗୁ ରୋଗ ଆତଙ୍କ ବଢିବାରେ ଲାଗିଥିବା ବେଳେ ଭୁବନେଶ୍ୱରରେ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଭୁବନେଶ୍ବର ପାଲଟିଛି ହଟ୍ସପଟ

ଭୁବନେଶ୍ବର: ଓଡ଼ିଶାରେ ଡେଙ୍ଗୁ ରୋଗ ଆତଙ୍କ ବଢିବାରେ ଲାଗିଛି ଏବଂ ରାଜଧାନୀ ଭୁବନେଶ୍ୱର ଏହି ଭାଇରାଲ ଫିଭର ବା ଆନ୍ତ୍ରିକ ଜ୍ୱର ହଟସ୍ପଟ୍ ଭାବରେ ଉଭା ହେଉଛି। ଓଡିଶାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ନିରଂଜନ ମିଶ୍ରଙ୍କ ଅନୁଯାୟୀ ଗତ ବର୍ଷ ଓଡିଶାରେ ୧୮,୭୦୦ ଡେଙ୍ଗୁ ପରୀକ୍ଷା କରା ଯାଇଥିଲା ଏବଂ ଚଳିତ ବର୍ଷ ଏହି ସଂଖ୍ୟା ୩୮,୫୦୦ ଅତିକ୍ରମ କରି ପ୍ରାୟ ୨୦୦ ପ୍ରତିଶତ ମାମଲା ବୃଦ୍ଧି ପାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ଚିହ୍ନଟ ହୋଇଥିବା ୨୪୨୬ ଟି ଡେଙ୍ଗୁ ରୋଗ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ୧୨୨୦ ରୋଗୀ ଥିବାବେଳେ ଭୁବନେଶ୍ୱରରେ ରୋଗୀଙ୍କ ସଂଖ୍ୟା ୧୧୬୪ ରହିଛି। ଚଳିତ ବର୍ଷ ଡେଙ୍ଗୁ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଚାରିଟି ସ୍ଥାନରେ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଚାରିଟି ଡେଙ୍ଗୁ ପରୀକ୍ଷା କେନ୍ଦ୍ର ଏବଂ ୱାର୍ଡ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଅବସ୍ଥା ଖରାପ ବେଶୀ ନାହିଁ ଏବଂ ଡେଙ୍ଗୁ ଆକ୍ରାନ୍ତଙ୍କ ଅବସ୍ଥା ଦେଶରେ ୧୪ କିମ୍ବା ୧୫ ତମ ସ୍ଥାନରେ ଓଡ଼ିଶା ରହିବ ବୋଲି ଡ଼ଃ ମିଶ୍ର ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଟିଳତା ହାର ପାଞ୍ଚ ପ୍ରତିଶତରୁ କମ୍ ଏବଂ ମୃତ୍ୟୁହାର ଏକ ପ୍ରତିଶତରୁ କମ୍ ଥିବାରୁ ପରିସ୍ଥିତିକୁ ନେଇ ଭୟଭୀତ ହେବାର କିଛି ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଡେଙ୍ଗୁ ରୋଗୀଙ୍କୁ ଘରେ ମଧ୍ୟ ଚିକିତ୍ସା କରାଯାଇପାରିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଞ୍ଚଳରେ ଥିବା ଚାରିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡେଙ୍ଗୁ ନମୁନା ସଂଗ୍ରହ ଏବଂ ଚିକିତ୍ସା ପାଇଁ ଆମେ ବ୍ୟବସ୍ଥା କରିଛୁ। ଯଦି କୌଣସି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବେଶୀ ଖରାପ ହୁଏ, ତେବେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟର ସମସ୍ତ ହସପିଟାଲ ସହ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଡେଙ୍ଗୁ ରୋଗ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ହସ୍ପିଟାଲ ୱାର୍ଡ଼ରେ ଜଣେ ମେଡିସିନ ସ୍ପେସିଆଲିଷ୍ଟଙ୍କୁ ନୋଡାଲ ଅଫିସର ଦାୟିତ୍ବ ଦେବାକୁ ନିଷ୍ପତ୍ତି ହୋଇଛି। ୱାର୍ଡ଼କୁ ଜୀବାଣୁ ମୁକ୍ତ ଓ ସଫାସୁତୁରା ଉପରେ ଗୁରୁତ୍ବ ଦେଇ ୱାର୍ଡ଼ରେ ଜଣେ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ଅବସ୍ଥାପିତ କରାଯିବ। ଲାବୋରେଟୋରୀ ଟେକ୍ନିସିଆନ ରକ୍ତ ସଂଗ୍ରହ କରିବା ସହ ରକ୍ତ ପରୀକ୍ଷା ଦାୟିତ୍ୱରେ ରହିବେ।