ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ

ରାଜ୍ୟର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ପରଲୋକ ଘଟିଛି ।

ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ

କଟକ: ରାଜ୍ୟର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବାଣପୁରଠାରେ ଗାର୍ଡ ଅଫ ଅନର୍ସ ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଡେରାବିଶ ତହସିଲ ଅନ୍ତର୍ଗତ ହାଟବନପୁରର ମୂଳ ବାସିନ୍ଦା ମକର ଦାସ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ପ୍ରେରିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ବ୍ରିଟିଶ ବିରୋଧରେ ଲଢେଇ କରି ଜେଲ ମଧ୍ୟ ଯାଇଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବିଶିଷ୍ଟ ଅଭଦାନ ପାଇଁ ୨୦୨୦ରେ ଅଗଷ୍ଟ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଥିଲେ ।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ । ସେ ଜଣେ ସମାଜ ସଂସ୍କାରକ ଭାବରେ ସାମାଜିକ ବିକାଶରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଶ୍ରୀ ଦାସଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଶ୍ରମ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରି ଲେଖିଛନ୍ତି, ଶ୍ରୀ ଦାସ କେନ୍ଦ୍ରାପଡା ଜିଲ୍ଲାର ଜଣେ ଗର୍ବ ଓ ଗୌରବ ଥିଲେ ।