ଆସନ୍ତା ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ

କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ ଜଣ ଅତିରିକ୍ତ ଏସପି

କଟକ, ୦୪/୧୨: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ।

ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ ଜଣ ଅତିରିକ୍ତ ଏସପି, ୪୦ ଡିଏସପି, ୬୫ ଇନ୍ସପେକ୍ଟର, ୩୨୫ ଏସଆଇ, ୩୮ ହାବିଲଦାର/କନଷ୍ଟେବଳ, ୨୦୮ ଏପିଆର କନଷ୍ଟେବଳ, ୭୩ ମହିଳା କନଷ୍ଟେବଳ, ୧ ୟୁନିଟ ଓଡ୍ରାଫ, ୨ ୟୁନିଟ ଏସଟିୟୁ ଏବଂ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ବାରବାଟୀ ଷ୍ଟାଡିୟମ ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନାରେ ଏହି ସୁରକ୍ଷାକର୍ମୀ ମୁତୟନ ହେବେ ।

ଆସନ୍ତା ୭ ତାରିଖ ଦିନ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ଭୁବନେଶ୍ଵରଠାରେ ପହଁଚିବେ । ୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମଠାରେ ଉଭୟ ଟିମ ଅଭ୍ୟାସ କରିବେ ଏବଂ ୯ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବ । ବିମାନବନ୍ଦର,ମ୍ୟାଚ ପାଇଁ ହୋଟେଲ ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ଏବଂ ଖେଳାଳିଙ୍କ ଯାତାୟାତ ରସ୍ଥାରେ ଆଦି ସମସ୍ତ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟାଡିୟମ୍ ଭିତରେ ଓ ବାହାରେ ଶୃଙ୍ଖଳିତ ଆୟୋଜନ ଓ ଭୁବନେଶ୍ଵରରୁ କଟକ ପାର୍ଜୟନ୍ତ ଖେଳାଳିଙ୍କୁ ନେବା ଆଣିବା ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ବିଚ୍ୟୁତି ନ ହେବ ସେଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ , ଆସନ୍ତା ୫ ତାରିଖ ଦିନ ୧୦ଟାରୁ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଖେଳାଳିଙ୍କୁ ନିକଟରୁ ଦେଖିବା ନିମନ୍ତେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବାରୁ ଟିକଟ ବିକ୍ରୟ କେନ୍ଦ୍ର ନିକଟରେ ଅସମ୍ଭବ ଭିଡ ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ଏହି ସ୍ଥାନରେ ଭିଡ ନିୟନ୍ତ୍ରଣ ତଥା ସଠିକ ଓ ଶୃଙ୍ଖଳିତ ଭାବେ ଟିକେଟ ବିକ୍ରୟର ସୁପରିଚାଳନା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ବାରବାଟୀ ଷ୍ଟାଡିୟମ ପରିସରରେ କଟକ ଡିସିପି ଶ୍ରୀ ଖୀଲାରୀ ଋଷିକେଶ ଦ୍ୟାନଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଖୀଲାରୀ କ୍ରିକେଟ ମ୍ୟାଚକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନିମନ୍ତେ ସମସ୍ତ ପୋଲିସ ଅଧିକାରୀ / କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୋଲିସକୁ ସବୁ କ୍ଷେତ୍ରରେ ସହଯୋଗ କରିବା ସହ ଷ୍ଟାଡିୟମ ପରିସରରେ ଶୃଙ୍ଖଳିତ ହୋଇ କ୍ରିକେଟ ମ୍ୟାଚ ଉପଭୋଗ କରିବାକୁ ଓଡିଶା ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ହଜାର ହଜାର କ୍ରୀଡା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ପ୍ରକାର ଅଘଟଣ ଏଡାଇବାକୁ ପୋଲିସ ସଜାଗ ରହିଛି ।