ଚନ୍ଦ୍ରୟାନ-୩କୁ ବିଶ୍ୱର ନଜର; ୩ୟ ଥର କଏଦ ଚନ୍ଦ୍ର ଫଟୋ

ଇସ୍ରୋ ଚନ୍ଦ୍ରୟାନ-୩ ଅଭିଯାନ ସମ୍ପର୍କରେ ସଦ୍ୟତମ ଅପଡେଟ୍ ସେୟାର କରିଛି

ଅବତରଣ ପାଇଁ କେଉଁ ସମୟ ଠିକ୍‌!

ନୂଆଦିଲ୍ଲୀ: ଋଷିଆର ଲୁନା-୨୫ ମୁନ ମିଶନ ବିଫଳ ହେବା ପରେ ଏବେ ଚନ୍ଦ୍ରୟାନ-୩ ଉପରେ ରହିଛି ସାରା ବିଶ୍ୱର ନଜର । ଏହାରି ଭିତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଚନ୍ଦ୍ରୟାନ-୩ ଅଭିଯାନ ସମ୍ପର୍କରେ ସଦ୍ୟତମ ଅପଡେଟ୍ ସେୟାର କରିଛି । ଇସ୍ରୋ ଏକ୍ସ ତଥା ଟ୍ୱିଟରରେ ସେୟାର କରି କହିଛି ଯେ, ଚନ୍ଦ୍ରୟାନ-୩ ମିଶନ ନିର୍ଦ୍ଧାରିତ ସମୟରେ ଅଛି । ଲ୍ୟାଣ୍ଡର ବୁଧବାର ସନ୍ଧ୍ୟାରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଯାଉଛି । ପୃଥିବୀର ଦକ୍ଷିଣ ମେରୁରେ ପହଂଚିବାରେ ଭାରତ ହେଉଛି ପ୍ରଥମ ଦେଶ । ଏହାକୁ ନିୟମିତ ଯାଂଚ କରାଯାଉଛି । ସୁରୁଖୁରୁରେ ଯାତାୟତ ଜାରି ରହିଛି । ସଫଳ ଭାବେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା କରାଯାଉଛି । ଏହା ସହ ଇସ୍ରୋ ଚନ୍ଦ୍ରର ଏକ ଫଟୋ ସେୟାର କରିଛି । ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ଇମେଜ୍ କ୍ୟାମେରା ଦ୍ୱାରା ଉଠାଯାଇଥିବା ଏହା ତୃତୀୟ ଫଟୋ । ସେପଟେ ଅହମ୍ମଦାବାଦସ୍ଥିତ ସ୍ପେସ୍ ଆପ୍ଲିକେସନ ସେଂଟର- ଇସ୍ରୋର ନିର୍ଦ୍ଦେଶକ ନୀଲେଶ ଏମ ଦେଶାଇ କହିଛନ୍ତି ଯେ, ଅଗଷ୍‌ଟ ୨୩ରେ ଚନ୍ଦ୍ରୟାନ-୩କୁ ଅବତରଣ କରିବା ଉପଯୁକ୍ତ ହେବ କି ନାହିଁ ସେ ଲ୍ୟାଣ୍ଡର ମୋଡ୍ୟୁଲ ଓ ଚନ୍ଦ୍ରର ସ୍ଥିତି ଓ ଅବସ୍ଥିତିକୁ ଆଧାର କରି ନିଆଯିବ । ପରିସ୍ଥିତି ପ୍ରତିକୂଳ ହେଲେ ଅବତରଣ ଅଗଷ୍ଟ ୨୭କୁ ଘୁଂଚାଇ ଦିଆଯାଇପାରେ ।