ଅଭୟ ପାଠକଙ୍କ ବିରୋଧରେ ଚାର୍ଜସିଟ

ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ କୁମାର ପାଠକ ବିରୋଧରେ ଭିଜିଲାନ୍ସ ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି

ଆୟ ବର୍ହିଭୂତ ଠୁଳ ନେଇ ୨୦୨୦ରେ ଚର୍ଚ୍ଚାକୁ ଆସିଥିଲେ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅତିରିକ୍ତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଭାବେ କାର୍ଯ୍ୟ କରିଥିବା ପୂର୍ବତନ ଭାରତୀୟ ବନସେବା ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ କୁମାର ପାଠକ ବିରୋଧରେ ୧୪ କୋଟି ୨୫ ଲକ୍ଷ ୪୬ ହଜାର ୯୦୧ ଟଙ୍କା ମୂଲ୍ୟର ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଅଭୟକାନ୍ତ ପାଠକ ସରକାରୀ ଚାକିରି କରିଥିବା ସମୟରେ ୨୭ ନଭେମ୍ବର ୨୦୨୦ରେ ଆୟ ବହିର୍ଭୂତ ସମ୍ପତି ରଖିବା ଅଭିଯୋଗରେ ପିସି (ସଂଶୋଧନ) ଆଇନ ୨୦୧୮ରେ ସଂଶୋଧିତ ପିସି ଆକ୍ଟ-୧୯୮୮ର ଧାରା ୧୩(୧)(ବି)/୧୨ରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ସମୟରେ ଓଡିଶାର ୭ଟି ସ୍ଥାନ, ବିହାରର ୨ଟି ସ୍ଥାନ, ମୁମ୍ବାଇ/ପୁନେ,ମହାରାଷ୍ଟ୍ରର ୬ଟି ସ୍ଥାନ ଏବଂ ରାଜସ୍ଥାନର ଗୋଟିଏ ସ୍ଥାନରେ ଚଢାଉ କରାଯାଇ ସମ୍ପତି, ଆୟ ଓ ବ୍ୟୟ ସମ୍ବନ୍ଧୀୟ ସାମଗ୍ରୀ, କାଗଜପତ୍ର, ଓ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହା ସହ ଅଭୟକାନ୍ତ ପାଠକ ଓ ପୁଅ ଆକାଶ କୁମାର ପାଠକଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ୧୦ କୋଟିରୁ ଅଧିକ ଟଙ୍କା ଜମା ଥିବାର ଜଣା ପଡିଥିଲା ।