ସୋସିଆଲ ମିଡିଆରେ ମୁହାଁମୁହିଁ

ନଟବରଙ୍କ ପୋଷ୍ଟକୁ ନେଇ ଧର୍ମେନ୍ଦ୍ର-ସସ୍ମିତ ମୁହାଁମୁହିଁ

ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ କଟାକ୍ଷ

ଭୁବନେଶ୍ୱର: ନିକଟରେ ବିଶିଷ୍ଟ ସ୍ତମ୍ଭକାର ନଟବର ଖୁଂଟିଆ ଫେସବୁକରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ଓଡିଶାର ଦ୍ୱିତୀୟ ଗଜପତି ସମ୍ରାଟ ବୀର ପ୍ରତାପ ପୁରୁଷୋତମ ଦେବଙ୍କ ପୁତ୍ର ରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ଶାସିତ ପଂଚଦଶ ଓ ଷୋଡଶ ଶତାବ୍ଦୀର ଓଡିଶାର ଶକ୍ତିଶାଳୀ ରାଜ୍ୟ ଦୁର୍ବଳ ହେବାରେ ଲାଗିଛି । ଚୈତନ୍ୟ ମହାପ୍ରଭୁ ଓ ବୈଷ୍ଣବ ଧର୍ମର ଆବିର୍ଭାବକୁ ଲୋକମାନେ ନାମ ସଂକୀର୍ତନ କରିବାରେ ଅଧିକ ସମୟ ବିତାଉଥିବାରୁ ଏହାର ଆକ୍ରମଣାତ୍ମକ ମନୋବଳକୁ କ୍ଷୁଣ୍ଣ କରିବାର ଅନ୍ୟତମ କାରଣ । ସ୍ୱାଧୀନତାର ୭୫ ବର୍ଷ ପରେ ଓଡିଶାରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ଆସିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ୩୩ରୁ ୪୫ ପ୍ରତିଶତରୁ ଅଧିକ ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ରହୁଛନ୍ତି ଏବଂ ଚାଷୀ ପରିବାରର ମାସିକ ଆୟ ୨୦୧୫-୧୬ରେ ୭୭୩୧ ଟଙ୍କା ଥିବା ବେଳେ ୨୦୧୮-୧୯ରେ ଏହା ୫୧୧୨ ଟଙ୍କାକୁ ଖସି ଆସିଛି । ଅପରପକ୍ଷରେ ଓଡିଶା ସରକାର ସାରା ରାଜ୍ୟରେ ମନ୍ଦିର ନିର୍ମାଣ ପାଇଁ ଶହ ଶହ କୋଟି ଟଙ୍କା ମଞ୍ଜୁର କରିବାରେ ବ୍ୟସ୍ତ । ସେତେବେଳ ପରି ଏବେ ପୁଣି ଥରେ ନିଜର ଆକ୍ରମଣାତ୍ମକ ଗୁଣ ହରାଇଛି ନଚେତ ଏକ ଗଣତାନ୍ତ୍ରିକ ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ହେଲିକପ୍ଟର ଯୋଗେ ରାଜ୍ୟ ପରିକ୍ରମା କରିବାକୁ ଦାୟିତ୍ୱ ଦେଇନଥାନ୍ତେ । ଓଡିଶାକୁ ଏକଜୁଟ କରିଥିବା ଭାଷା ଆନ୍ଦୋଳନର ନେତୃତ୍ୱ ନେଇଥିବା ମଧୁସୂଦନ ଦାସଙ୍କ ବଳିଦାନକୁ ରାଜ୍ୟବାସୀ ନଷ୍ଟ ହେବାକୁ ଦେବେ ନାହିଁ । ହୁଏତ ଇତିହାସର ପୁନରାବୃତି ହେବ ନା ଗୋବିନ୍ଦ ବିଦ୍ୟାଧରଙ୍କ ଆକାଂକ୍ଷା ଦିନର ଆଲୋକ ଦେଖିବ ବୋଲି ଖୁଂଟିଆ ପୋଷ୍ଟ କରିଥିଲେ ।
ଏହା ପରେ ଖୁଂଟିଆଙ୍କ ପୋଷ୍ଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରି ସେ ଟୁଇଟ କରିଛନ୍ତି ଯେ, ଓଡିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ରାଜା ପ୍ରତାପରୁଦ୍ର ଦେବଙ୍କ ଶାସନକାଳ ସହ ଯୋଡି ଶ୍ରୀ ଖୁଂଟିଆ ଓଡିଶାର ଇତିହାସକୁ ବର୍ତମାନର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ବ୍ୟବସ୍ଥା ସହ ଅତି ସଠିକ ଭାବେ ତୁଳନା କରିଛନ୍ତି । ‘‘ଉଠ କଙ୍କାଳ, ଛିଡୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠ ଗତ ଗୌରବ, ହୃତ ଗୌରବ ରାଜି’’ ବୋଲି ଲେଖିଛନ୍ତି ।
ଏହାର ଜବାବରେ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଟୁଇଟ କରି ଲେଖିଛନ୍ତି, ‘‘ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟରୁ ଜଣାପଡୁଛି ଆଜିକାଲି ତାଙ୍କର ପ୍ରିୟକାମ ହେଉଛି କେବଳ ନିରାଶା ଦୂର କରିବା ପାଇଁ ସୋସିଆଲ ମିଡିଆରେ ସ୍ୱୟଂ ପ୍ରାୟୋଜିତ ପୋଷ୍ଟ କରିବା ଏବଂ ଏହାକୁ ବଢାଇବା । ତେବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବେ ବି ଓଡିଶା ଓ ରାଜ୍ୟବାସୀଙ୍କ ସ୍ୱାର୍ଥକୁ କେନ୍ଦ୍ର ଆଗରେ ଉଠାଇ ନାହାନ୍ତି । କିଛି ଉଦାହରଣ ହେଉଛି: ୧) ସମ୍ବଲପୁର-କଟକ ଜାତୀୟ ରାଜପଥ ଭଳି ଓଡିଶାର ଜାତୀୟ ରାଜପଥର ଗୁଣବତା ଅତି ନିମ୍ନମାନର । ୨) ଦିଲ୍ଲୀରେ ଓଡିଶା ବିଜେପି ସାଂସଦଙ୍କ ଷଡଯନ୍ତ୍ର ଯୋଗୁଁ ଓଡିଶାର ଆଦିବାସୀ ଭାଈ ଭଉଣୀଙ୍କ ପାଇଁ ଉଦ୍ଦିଷ୍ଟ ୭ ଲକ୍ଷ ପିଏମଏୱାଇ ଘର ଅବରୋଧ କରାଯାଇଛି । ୩) ଏମସିଏଲ, ଆଇଓସିଏଲ ଓ ନାଲକୋ ଭଳି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗରେ ଓଡିଆଙ୍କୁ ଚାକିରି ମିଳୁନଥିବା ବେଳେ ମଧ୍ୟପ୍ରଦେଶ ଓ ବିହାରର ଲୋକମାନେ ଏହି ଚାକିରି ପାଉଛନ୍ତି । ୪) ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ବ୍ୟାପକ ପ୍ରଦୂଷଣ ରହିଛି । ୬୦ ହଜାର ଟଙ୍କା ସ୍ୱଚ୍ଛ ଶକ୍ତି ସେସ୍ ଆଦାୟ କରାଯାଇଛି । ଓଡିଶାକୁ ଗୋଟିଏ ବି ଟଙ୍କା ଦିଆଯାଉନାହିଁ । ୫) ସ୍ୱୟଂ ପ୍ରୋତ୍ସାହିତ ସୋସିଆଲ ମିଡିଆ ପୋଷ୍ଟକୁ ଉଲ୍ଲେଖ କରିବାରେ ସମୟ ଖର୍ଚ୍ଚ କରିବା ପରିବର୍ତେ ସେ କେନ୍ଦ୍ର ଆଗରେ ଓଡିଶାବାସୀଙ୍କ ସ୍ୱାର୍ଥକୁ ଉଠାଇଲେ ଭଲ ହେବ ।’’