ଓଡ଼ିଶାର ୬ଟି ଜିନିଷକୁ ଜିଆଇ ଟ୍ୟାଗ୍ ମାନ୍ୟତା

ଓଡ଼ିଶାର ୬ଟି ଜିନିଷକୁ ଜିଆଇ ଟ୍ୟାଗ୍ ଅନୁମତି ଦେଲା କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ।

ପ୍ରସିଦ୍ଧ ମଗଜି ଲଡୁ, କଳାଜିରା ଧାନ ସ୍ୱତନ୍ତ୍ର

ଭୁବନେଶ୍ବର: ଓଡ଼ିଶାର ୬ଟି ଜିନିଷକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା। ଜିଆଇ ଟ୍ୟାଗ୍ ଅନୁମତି ଦେଲା କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ। ଓଡ଼ିଶାର ୬ଟି ଜିନିଷ ମଧ୍ୟରେ ଖଜୁରୀ ଗୁଡ଼, ରାୟଗଡ଼ାର ଲାଞ୍ଜିଆସଉରା ପେଣ୍ଟିଂ, ମୟୂରଭଞ୍ଜର କାଇପିମ୍ପୁଡ଼ି, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଢେଙ୍କାନାଳର ମଗଜି ଓ କୋରାପୁଟର କଳାଜିରା ଧାନକୁ ଜିଆଇ ଟ୍ୟାଗ ମିଳିଛି।

ମଗଜି ଲଡୁର ସ୍ୱତନ୍ତ୍ରତା ହେଉଛି ଏହା ମଇଁଷି କ୍ଷୀରର ଛେନାରୁ ପ୍ରସ୍ତୁତ ହୋଇଥାଏ। ଏଥିରେ ପାଗ କରାଯାଇ ସ୍ୱାଦ ବଢାଇବା ପାଇଁ ଗୁଜୁରାତି ମିଶା ଯାଇଥାଏ। ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଷଡଙ୍ଗୀ ଗାଁରେ ପ୍ରାୟ ୧୫୦ ବର୍ଷ ପୂର୍ବେ ଚକ୍ରଧର ସାହୁ ନାମକ ଜଣେ ବ୍ୟକ୍ତି ଆରମ୍ଭ କରିଥିଲେ। ଏହା ଏବେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିଲାଭ କରିଛି।

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ଭୌଗୋଳିକ ସୂଚକ (ଜିଆଇ) ମାନ୍ୟତା ପାଇଛି। କଣ୍ଟେଇମୁଣ୍ଡି ବାଇଗଣ ଏକ ପନିପରିବା ଫସଲ, ଯେଉଁଥିରେ ଫଳ ଓ ପୂରା ଗଛରେ ପ୍ରଚୁର କଣ୍ଟା ରହିଥାଏ। ଏହି ଫଳ ସବୁଜ ରଙ୍ଗର, ଗୋଲାକାର ଆକୃତିର ହୋଇଥିବା ବେଳେ ଅନ୍ୟାନ୍ୟ ଫସଲ ତୁଳନାରେ ଏଥିରେ ଅଧିକ ସଂଖ୍ୟକ ମଞ୍ଜି ରହିଥାଏ। ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ଫସଲ ଚାଷ କରି ଆସୁଥିବା ସ୍ଥାନୀୟ ଉତ୍ପାଦକଙ୍କ ଦକ୍ଷତା ପାଇଁ ଅନନ୍ୟ ସ୍ୱାଦ ରହିଛି। ଖଣ୍ଡପଡ଼ା ବ୍ଲକର ବଡ଼ବଣାପୁର ଓ ରତନପୁର ଅଞ୍ଚଳ ଏବଂ ଭାପୁର ବ୍ଲକର ଧନଚଙ୍ଗଡ଼ା, ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି ଓ ଫତେଗଡ଼ ଅଞ୍ଚଳରୁ ଏହି ପରିବା ଉତ୍ପାଦନ ହେଉଥିବା ବେଳେ ଏବେ ସମଗ୍ର ନୟାଗଡ଼ ଜିଲ୍ଲାର କୃଷକମାନେ ଏହାର ଉତ୍ତମ ବଜାର ମୂଲ୍ୟ ଓ ଉପଭୋକ୍ତାଙ୍କ ଗ୍ରହଣୀୟତା ଯୋଗୁଁ ଏଭଳି ପ୍ରଜାତିର ପନିପରିବା ଚାଷ କରୁଛନ୍ତି।

ପୂର୍ବ ଭାରତର ତଥା ଓଡିଶାର ଏକ ଆଦିବାସୀ କଳା, ସଉରାର କଳା ଏହାର ରୀତିନୀତି ଅନୁଯାୟୀ ଗ୍ରାମର ଘର କାନ୍ଥରେ ଆରମ୍ଭ ହୋଇଥିଲା, ଯାହା ସାରା ଭାରତରେ ପ୍ରସିଦ୍ଧ। ଓଡ଼ିଶାର ଦକ୍ଷିଣ ଭାଗରେ ବାସ କରୁଥିବା ସଉରା ଭାରତର ସର୍ବ ପୁରାତନ ଜନଜାତିମାନଙ୍କ ମଧ୍ୟରୁ ଅନ୍ୟତମ।