ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି ।

ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି । କିଛି ସମୟ ତଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ।
୧୯୭୭ରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ସୂର୍ଯ୍ୟ ପାତ୍ର ୨୪ ଡିସେମ୍ବର ୧୯୪୮ରେ ଜନ୍ମଗ୍ରହଣ କରିଥିଲେ । ବ୍ରହ୍ମପୁର ମ୍ୟୁନିସିପାଲିଟି କାଉନସିଲର ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯୦ରେ ମୋହନା ଆସନରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡି ଉପସଭାପତି ଦାୟିତ୍ୱ ସମ୍ଭାଳିଥିଲେ । ୨୦୦୦ରୁ ୨୦୦୯ ବିଜେଡି ଟିକେଟରେ ମୋହନାରୁ ନିର୍ବାଚିତ ହୋଇଥିଲେ । ୨୦୦୯ରୁ ୨୦୧୯ ବିଜେଡି ଟିକେଟରେ ଦିଗପହଣ୍ଡିରୁ ନିର୍ବାଚିତ ହୋଇଥିଲେ । କ୍ରମାଗତ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୂର୍ଯ୍ୟ । ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗଞ୍ଜାମ ଦିଗପହଣ୍ଡି ବିଧାୟକ ଥିଲେ ସୂର୍ଯ୍ୟ ପାତ୍ର । ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ଦକ୍ଷତା ଦେଖାଇଥିଲେ । ରାଜସ୍ୱ, ଶକ୍ତି, ଜଙ୍ଗଲ, ଖାଦ୍ୟ ଯୋଗାଣ, ଆଇଟି, ସମବାୟ ଓ ସଂସ୍କୃତ ଆଦିି ବିଭାଗର ମନ୍ତ୍ରୀ ଥିଲେ । ୧୯୯୦ରେ ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ ରାଷ୍ଟ୍ରମନ୍ତ୍ରୀ; ୨୦୦୨ରୁ ୨୦୦୪ ଶକ୍ତି, ବିଜ୍ଞାନ ଓ କାରୀଗରୀ କୌଶଳ ଓ ପରିବେଶ ମନ୍ତ୍ରୀ ଏବଂ ୨୦୦୪ରୁ ୨୦୦୯ ଯାଏଁ ଶକ୍ତି, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଥିଲେ । ମୃତ୍ୟୁ ଖବର ପ୍ରସାରଣ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।