ପ୍ରତି ନିର୍ବାଚନମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ପ୍ରତି ନିର୍ବାଚନମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଳନ ହେବ।

ଅକ୍ଟୋବର ୨ରୁ ଆରମ୍ଭ

ଭୁବନେଶ୍ବର,୨୬/୯: ଚଳିତ ବର୍ଷ ପ୍ରତି ନିର୍ବାଚନମଣ୍ଡଳୀରେ ପାଳନ ହେବ ବିଜେଡିର ଜନସମ୍ପର୍କ ପଦଯାତ୍ରା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ’ଠାରୁ ଅକ୍ଟୋବର ୧୧ ତାରିଖ ‘ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ’ ଯାଏଁ “ଜନସମ୍ପର୍କ ପଦଯାତ୍ରା” ପାଳନ କରିବାକୁ ଯାଉଛି। ଏ ନେଇ ବିଜେଡି ପକ୍ଷରୁ ସ୍ୱତନ୍ତ୍ର ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର ୯ ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ’ ଏବଂ ଅକ୍ଟୋବର ୧୧ ତାରିଖରେ ‘ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ’ ପାଳନ ସହିତ ଏ ବର୍ଷର ଜନସମ୍ପର୍କ ପଦଯାତ୍ରା ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ।

ଅକ୍ଟୋବର ୧୨ଠାରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ। ଉପରୋକ୍ତ କାର୍ଯ୍ୟକ୍ରମ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡ଼ରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଇବ। ଏହା ସହିତ ବିଜୁ ଜନତା ଦଳର ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପରିବଦ୍ଧତାର କାର୍ଯ୍ୟକ୍ରମ କରାଯିବ। ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ ଓ ଏହି ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଓଡିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଙ୍କଳ୍ପ ନିଆଯିବ।

ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡିକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନେ ତଦାରଖ କରିବେ। ଏହି ସାଙ୍ଗଠନିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ, ବିଧାୟିକା, ଦଳୀୟ ସଭାପତି, ପଞ୍ଚାୟତ ଓ ପୌର ନିର୍ବାଚିତ ଜନପ୍ରତିନିଧି ଓ ଯୁବ, ଛାତ୍ର ଓ ମହିଳା ପ୍ରଭୃତି ବିଭିନ୍ନ ଛାମୁଆ ସଂଗଠନ ଓ କୃଷକ, ଶ୍ରମିକ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ, ସମବାୟ, ଆଇନ ଓ ସଂସ୍କୃତି ପ୍ରଭୃତି ବିଭିନ୍ନ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ଏଥିରେ ସାମିଲ ହେବେ।