ପୃଥକ ଦୁର୍ଘଟଣା; ୩ ମୃତ ଜଣେ ଗୁରୁତର

ପୃଥକ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଡ୍ରାଇଭର ଫେରାର

ପାରାଦ୍ୱୀପ/କଟକ: ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଦୁଇଟି ସ୍ଥାନରେ ପୃଥକ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାରାଦ୍ୱୀପ-କଟକ ରାସ୍ତାର ୧୫ ନମ୍ବର ଛକ ନିକଟରେ ଏକ ହାଇୱା ଟ୍ରକ ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ଛନ୍ଦା ଓ ରଘୁନାଥପୁର ଅଂଚଳର ଜିତେନ୍ଦ୍ର ପାଲ ଓ ପ୍ରହଲ୍ଲାଦ ଭୋଳ । ସେମାନେ ପାରାଦ୍ୱୀପରୁ କୁଜଙ୍ଗ ଅଭିମୁଖେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ସେମାନଙ୍କ ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ଅନ୍ୟ ଏକ ଘଟଣାରେ ବାଲେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ମହାଦେବ ଛକ ନିକଟରେ ଏକ ବସ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବାଲେଶ୍ୱର ତାଳସାରୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଉଦୟପୁର ଅଂଚଳର ବାସିନ୍ଦା ବୋଲି ସୂଚନା ମିଳିଛି । ବ୍ରହ୍ମପୁରରୁ ଚନ୍ଦନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ବସ ଜଳେଶ୍ୱରରୁ ଆସୁଥିବା ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା ।