ଜମି ଅଧିଗ୍ରହଣ ବିଲ୍ ଓ ଜମି ସଂସ୍କାର ଆଇନ ସଂଶୋଧନ ବିଲକୁ ବିଧାନସଭାରେ ଅନୁମୋଦନ

ଜମି ଅଧିଗ୍ରହଣ ବିଲ୍ ଓ ଜମି ସଂସ୍କାର ଆଇନ ସଂଶୋଧନ ବିଲକୁ ବିଧାନସଭାରେ ଅନୁମୋଦନ ହୋଇଛି ।

ସହଜ ହେବ ଅଧିଗ୍ରହଣ

ଭୁବନେଶ୍ୱର,୨୮/୯: ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସରେ ଉଚିତ୍ କ୍ଷତିପୂରଣ ଓ ସ୍ୱଚ୍ଛତା ଅଧିକାର (ଓଡିଶା ସଂଶୋଧନ) ବିଲ୍‌-୨୦୨୩ ବିଲ ଓଡିଶା ବିଧାନସଭାରେ ପାରିତ ହୋଇଛି । ଏହି ବିଲ ପାରିତ ହେବା ଦ୍ୱାରା ସରକାର ରଣନୈତିକ ଓ ବିକାଶ ପ୍ରକଳ୍ପଗୁଡିକୁ ବାଧ୍ୟତାମୂଳକ ସାମାଜିକ ପ୍ରଭାବ ଆକଳନ (ଏସଆଇଏ) ଏବଂ ଖାଦ୍ୟ ନିରାପତା ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାରୁ ମୁକ୍ତ କରିପାରିବେ ।
ଆଇନର ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ଅନୁସୂଚିତ ଅଂଚଳ ବ୍ୟତୀତ କେତେକ ତାଲିକାଭୁକ୍ତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପାଇଁ ସମ୍ମତି ଆବଶ୍ୟକ ହେବ ନାହିଁ । ଏହି ପ୍ରକଳ୍ପ ମଧ୍ୟରେ ଜାତୀୟ ନିରାପତା ବା ପ୍ରତିରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ, ବିଦ୍ୟୁତିକରଣ, ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ପ୍ରକଳ୍ପ, ସରକାରୀ କାର୍ଯ୍ୟାଳୟ, ଗରିବଙ୍କ ପାଇଁ ସୁଲଭ ଆବାସ, ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଶିଳ୍ପ କରିଡର, ରାଜପଥ, ରେଳବାଇ ଏବଂ ଶିଳ୍ପ ପ୍ରକଳ୍ପ ଭଳି ଭିତିଭୂମି ପ୍ରକଳ୍ପ ଯାହା ୧୦୦ରୁ କମ୍ ପରିବାରକୁ ବିସ୍ଥାପିତ କରିବ କିମ୍ବା ୫୦୦ ଏକରରୁ କମ ଘରୋଇ ଜମି ଅଧିଗ୍ରହଣ କରିବ ।
ଅଣକୃଷି ଉଦ୍ଦେଶ୍ୟରେ ଚାଷ ଜମିକୁ ରୂପାନ୍ତରିତ କରିବା ପାଇଁ ଫି ସ୍ଥିର କରିବାରେ ଅଧିକ ସମାନତା ଏବଂ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ଓଡିଶା ଜମି ସଂସ୍କାର ଆଇନ, ୧୯୬୦ରେ ସଂଶୋଧନକୁ ବିଧାନସଭା ଅନୁମୋଦନ କରିଛି । ପୂର୍ବରୁ ଅଣକୃଷି ଉଦ୍ଦେଶ୍ୟରେ ଚାଷ ଜମିର ବ୍ୟବହାର ପାଇଁ ବିଭିନ୍ନ ହାରରେ ରୂପାନ୍ତରଣ ଶୁଳ୍କ ଧାର୍ଯ୍ୟ କରାଯାଉଥିଲା ବେଳେ ଏବେ ଏଥିରେ ବଜାର ମୂଲ୍ୟର ଏକ ପ୍ରତିଶତ ଶୁଳ୍କ ଭାବରେ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି ।