ରାଜ୍ୟର ୧୫ ଜିଲ୍ଲା ଭୂମିକମ୍ପ ପ୍ରବଣ

ରାଜ୍ୟର ୧୫ ଜିଲ୍ଲା ଭୂମିକମ୍ପ ପ୍ରବଣ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର, ୨୮/୯: କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନଡିଏମଏ), ଗୃହ ନିର୍ମାଣ ଓ ସହରାଂଚଳ ଦାରିଦ୍ର‌୍ୟ ଦୂରୀକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଭୂକମ୍ପ ବିପର୍ଯ୍ୟୟ ଜୋନିଂ ଆଟଲାସ ଅଫ ଇଣ୍ଡିଆ ୨୦୧୬ର ତଥ୍ୟ ଅନୁଯାୟୀ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ବାଲେଶ୍ୱର ଓ ମୟୂରଭଞ୍ଜ ସମେତ ୧୫ଟି ଜିଲ୍ଲାକୁ ମଧ୍ୟମ ଧରଣର ଭୂମିକମ୍ପ ପ୍ରବଣ ଅଂଚଳ ଭାବେ ଚିହ୍ନଟ କରାଯାଇଛି ।
ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ପ୍ରାଥମିକ ବିଦ୍ୟାଳୟ ପାଠ୍ୟକ୍ରମରେ ଭୂମିକମ୍ପକୁ ଏକ ବିଷୟ ଭାବରେ ଅନ୍ତର୍ଭୂକ୍ତ କରାଯାଇଛି । ଏହାବ୍ୟତୀତ ଭୂକମ୍ପ ପ୍ରତିରୋଧୀ ନିର୍ମାଣ ସମ୍ପର୍କରେ ଇଞ୍ଜିନିୟର ଓ ରାଜମିସ୍ତ୍ରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବା ସହ ସହରାଂଚଳ ମାନଙ୍କରେ ସହରାଂଚଳ ଭୂମିକମ୍ପ ଦୁର୍ବଳତା ହ୍ରାସ କାର୍ଯ୍ୟକ୍ରମ ମାଧ୍ୟମରେ ଭୂମିକମ୍ପ ସମ୍ପର୍କରେ ସଚେତନ ମଧ୍ୟ କରାଯାଉଛି ।