ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହୋଇଛି ।

ଦୁଇଟି ବିଭାଗରେ ବିଭକ୍ତ ପାଠ୍ୟକ୍ରମ

ଭୁବନେଶ୍ୱର,୦୪/୧୦: ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମ ଉଦଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଯୋଗ ଦେଇ ଏହି ପାଠ୍ୟକ୍ରମର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୂଆଦିଲ୍ଲୀର ଜାପାନୀ ଫାଉଣ୍ଡେସନର ନିର୍ଦ୍ଦେଶକ ସାତୋ କୋଜି, ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କ ପ୍ରତିନିଧି ସୁଶ୍ରୀ ହାକାମାତା ମାହୋ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବ-ଏସୀୟ ଅଧ୍ୟୟନ ବିଭାଗର ପ୍ରଫେସର ନବୀନ କୁମାର ପଣ୍ଡା ଯୋଗ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମ ପାଇଁ ପ୍ରାରମ୍ଭିକ ପ୍ରବେଶ କ୍ଷମତା ୬୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଅକ୍ଟୋବର ୯ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମଲେଖା ହେବ । ଏହି ପାଠ୍ୟକ୍ରମକୁ ଦୁଇଟି ବିଭାଗରେ ବିଭକ୍ତ କରାଯିବ, ଯେଉଁଥିରେ ପ୍ରତ୍ୟେକରେ ୩୦ ଜଣ ଛାତ୍ରଛାତ୍ରୀ ରହିବେ ।