ସିକ୍କିମ ବନ୍ୟାରେ ଓଡିଆ ଯବାନ ସହିଦ

ସିକ୍କିମର ଭୟଙ୍କର ବନ୍ୟାରେ ଓଡିଆ ଯବାନ ସହିଦ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଢେଙ୍କାନାଳ,୦୫/୧୦: ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ସିକ୍କିମ ଏବେ ପ୍ରଳୟର କେନ୍ଦ୍ରବିନ୍ଦୁ । ସିକ୍କିମର ତିସ୍ତା ନଦୀରେ ଭୟଙ୍କର ବନ୍ୟା ଆସିବା ପରେ ନିୟନ୍ତ୍ରଣ ବାହାରେ ପରିସ୍ଥିତି ଅଛି । ଗତ କାଲି ନିଖୋଜ ହୋଇଥିବା ୨୩ ଯବାନଙ୍କ ମଧ୍ୟରେ ଓଡିଆ ଯବାନ ମଧ୍ୟ ଥିଲେ । ଆଜି ତାଙ୍କ ସହିଦ ହୋଇଥିବା ଖବର ମିଳିଛି । ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଉଦ୍ଧାରକାରୀ ଦଳର ଭିଡିଓ କଲରେ ସହିଦଙ୍କ ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଛନ୍ତି ।
ଖବର ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର କାମାକ୍ଷାନଗର ଥାନାର ଦିଘି ପଂଚାୟତ ଅଧିନ କେନ୍ଦୁଢିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନ ପୁଅ ସରୋଜ କୁମାର ଦାସ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ଭାରତୀୟ ସେନାରେ ସିପାହୀ ଭାବେ ଯୋଗ ଦେଇଥିଲେ । ସିପାହୀରୁ ପଦୋନ୍ନତି ପାଇ ହାବିଲଦାରକୁ ଉନ୍ନୀତ ହୋଇଥିଲେ । ସେ ଶେଷ ଥର ପାଇଁ ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ କଥା ହୋଇଥିଲେ । ପ୍ରବଳ ବର୍ଷା ଯୋଗୁଁ ଗାଡିରେ ଥିବା ସେ କହିଥିଲେ । କିନ୍ତୁ ଏହାପରେ ତାଙ୍କ ସହ ଆଉ କୌଣସି ଯୋଗାଯୋଗ ହୋଇ ପାରିନଥିଲା । ତେବେ ଆଜି ଦିନ ସାଢେ ୧୧ଟାରେ ପରିବାର ଲୋକ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇବା ପରେ ଚାରିଆଡେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସରୋଜ ଦାସଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରିଛନ୍ତି ଯେ, ‘‘ସିକ୍କିମରେ ବନ୍ୟା ବିପର୍ଯ୍ୟୟରେ ଓଡିଆ ଯବାନ ସରୋଜ କୁମାର ଦାସଙ୍କ ସହିଦ ଖବର ଶୁଣି ମୁଁ ଦୁଃଖିତ । ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।’’ ତେବେ ଆସନ୍ତାକାଲି ତାଙ୍କର ମରଶରୀର ତାଙ୍କ ପୈତୃକ ଗାଁରେ ପହଂଚିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସୂଚନା ଦେଇଛନ୍ତି ।