ଖୁବ ଶୀଘ୍ର ଓଡ଼ିଶାରେ ‘ଓ୍ଵାନ୍ ହେଲଥ’ କାର୍ଯ୍ଯକ୍ରମ

'ଓ୍ଵାନ୍ ହେଲଥ' କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି।

ଡବ୍ଲ୍ୟୁଏଚ୍ଓ ଦ୍ୱାରା ପ୍ରସ୍ତାବିତ କାର୍ଯ୍ୟକ୍ରମ

ଭୁବନେଶ୍ବର: ଡବ୍ଲୁଏଚ୍ଓ ଦ୍ୱାରା ପ୍ରସ୍ତାବିତ ‘ଓ୍ଵାନ୍ ହେଲଥ’ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି।

ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଡ଼ଃ ଶ୍ରୀ ମିଶ୍ର କହିଛନ୍ତି, ଏହି ମିଶନ ହାସଲ କରିବା ପାଇଁ ସ୍ୱାସ୍ଥ୍ୟ, କୃଷି, ପ୍ରାଣୀ ଚିକିତ୍ସା ଓ ବନ୍ୟପ୍ରାଣୀ ଭଳି ବିଭିନ୍ନ କ୍ଷେତ୍ର ମଧ୍ୟରେ ସମନ୍ୱୟ ଆବଶ୍ୟକ।

ପଶୁମାନଙ୍କଠାରୁ ଆନ୍ଥ୍ରାକ୍ସ, ନିପା, ମିଜଲ୍ସ ଭଳି ମଣିଷକୁ ବ୍ୟାପିଥିବା ଜୁନୋଟିକ୍ ରୋଗକୁ ସମନ୍ୱିତ କାର୍ଯ୍ୟ ମାଧ୍ୟମରେ ନିୟନ୍ତ୍ରଣ କରିବା। ଜୁନୋଟିକ୍ ରୋଗର ନିୟନ୍ତ୍ରଣ, ତଦାରଖ ଏବଂ ଚିକିତ୍ସା ହେଉଛି ‘ଓ୍ଵାନ୍ ହେଲଥ’ର ଉଦ୍ଦେଶ୍ୟ। ଭାରତର ୪ଟି ରାଜ୍ୟରେ ‘ଓ୍ଵାନ୍ ହେଲଥ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏହା ଏକ ପାଇଲଟ୍ କାର୍ଯ୍ୟକ୍ରମ। ସମଗ୍ର ଦେଶକୁ ସାମିଲ କରିବା ପାଇଁ ଯୋଜନା ଚାଲିଛି।

ଡବ୍ଲ୍ୟୁଏଚ୍ଓ ଅନୁଯାୟୀ, ‘ୱାନ୍ ହେଲଥ’ ହେଉଛି କାର୍ଯ୍ୟକ୍ରମ, ନୀତି, ଆଇନ ଏବଂ ଗବେଷଣାର ଡିଜାଇନ୍ ଏବଂ କାର୍ଯ୍ୟକାରୀ କରିବାର ଏକ ଆଭିମୁଖ୍ୟ ଯେଉଁଥିରେ ଏକାଧିକ କ୍ଷେତ୍ର ଏକତ୍ର ଯୋଗାଯୋଗ ଏବଂ କାର୍ଯ୍ୟ କରନ୍ତି। ପଶୁ-ମାନବ-ପରିବେଶ ଇଣ୍ଟରଫେସରେ ସ୍ୱାସ୍ଥ୍ୟ ବିପଦର ମୁକାବିଲା କରିବା ପାଇଁ ୱାନ୍ ହେଲଥର ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।