ଦିଲ୍ଲୀ ଗସ୍ତ ବେଳେ ଓଡିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଉଠାଉ ବିଜେପି: ବିଜେଡି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ କେନ୍ଦୁପତ୍ରରୁ ଜିଏସ୍‍ଟି ଛାଡ କରିବା ପାଇଁ ବିଜେପି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁ ବୋଲି ବିଜେଡି କହିଛି।

ଦୁର୍ବଳ ଟେଲି ସାନ୍ଧ୍ରତା ଓ ବ୍ୟାଙ୍କିଙ୍ଗ୍‍ ସେବାର ଅଭାବ: ସସ୍ମିତ

ଭୁବନେଶ୍ୱର, ୧୨/୧୦/୨୦୨୩: ବିଜେପି ନେତା ଶ୍ରୀ ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏବଂ ଓଡିଶାର ସମସ୍ତ ବିଜେପି ବିଧାୟକ ଖୁବ ଶୀଘ୍ର ଦିଲ୍ଲୀ ଯିବେ । ଆମେ ଆଶା କରୁଛୁ ସେମାନେ ଏଥର ଦିଲ୍ଲୀ ଗସ୍ତ କାଳରେ ରାଜନୀତି ନକରି ବରଂ ସେଠାରେ ଲୋକମାନଙ୍କ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଲୋକଙ୍କର ଏହିସବୁ ସମସ୍ୟା ମଧ୍ୟରେ ରହିଛି ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଲମ୍ବିଥିବା ଜାତୀୟ ରାଜପଥର ଦୂରାବସ୍ଥା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ସର୍ବସମ୍ମତ କ୍ରମେ ପାରିତ ହୋଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା । ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଟଙ୍କା ଏବଂ ଆବଶ୍ୟକ ସାର ଯୋଗାଇବା । ସର୍ବନିମ୍ନ ସହାୟକ ମୂଲ୍ୟକୁ ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ଧାର୍ଯ୍ୟ କରିବା ଏବଂ ସ୍ୱାମୀନାଥନ ଆୟୋଗ ରିପୋର୍ଟ ସୁପାରିଶକୁ କାର୍ଯ୍ୟକାରୀ କରିବା ।

ସେହିଭଳି ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ଦୁର୍ବଳ ଟେଲି-ସାନ୍ଧ୍ରତା ଏବଂ ବ୍ୟାଙ୍କିଙ୍ଗ୍ ସେବାର ଅଭାବ । ଓଡିଶା ପାଇଁ ଅଟକା ଯାଇଥିବା ୭ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବିଶେଷକରି ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଓ ଭଉଣୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯିବା । କେନ୍ଦୁ ପତ୍ର ଉପରେ ୧୮% ଜିଏସଟିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରାଯାଉ କାରଣ ପଶ୍ଚିମ ଓଡିଶାର ଅଧିକାଂଶ ବିଜେପି ବିଧାୟକ ୨୦୧୯ ରେ ସେହି କେନ୍ଦୁ ପତ୍ର କର୍ମଚାରୀଙ୍କ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି । ଆମେ ଆଶା କରୁଛୁ ଏଥର ବିଜେପି ନେତାମାନେ ଲୋକଙ୍କର ଏହି ସବୁ ସମସ୍ୟା ଉଠାଇବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।