ନବୀନଙ୍କ ଉପରେ ଭାରି ପଡିବେ କି ମୋଦି

୨୦୨୪ ନିର୍ବାଚନ ନବୀନ ଓ ମୋଦି ଉଭୟ ପୁରୀରୁ ଲଢିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ପୁରୀରେ ହେବେ କି ଆମନା-ସାମନା

ଭୁବନେଶ୍ବର,୧୨/୧୦: ୨୦୨୪ ନିର୍ବାଚନ ପାଇଁ ରାଜନୀତି ମହଲ ସରଗରମ। ବୃଦ୍ଧି ପାଉଛି ରାଜନୈତିକ ଉଷ୍ମତା। ଓଡିଶାରେ କିଏ କରିବ ଶାସନ, ଏ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେଡି ଉପରେ ବିଜେପିର ପଲା ଭାରି ପଡିବ କି? ତିଆରି ହୋଇଛି ଏକ ପ୍ରଶ୍ନବାଚୀ। ପୁରୀ ଆସନ ଜିତିବ କିଏ!

ରାଜନୈତିକ ସରଗରମ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସନରୁ ବିଧାନସଭା ନିର୍ବାଚନ ଲଢିବେ ବୋଲି ଆଲୋଚନା ଜୋର ଧରିଛି। ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ଦଳମତ ନିର୍ବିଶେଷରେ ନବୀନ ପୁରୀ ଆସନରୁ ଲଢିଲେ ସମସ୍ତେ ସ୍ୱାଗତ କରିବେ। ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ତରଫରୁ ପୁରୀରୁ ନିର୍ବାଚନ ଲଢିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବ।

ସେହିପରି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ମନ୍ତବ୍ୟ। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ମୋଦି ଲୋକସଭା ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ, ଜୋରଦାର ଲଢ଼େଇ ହେବ ବୋଲି ଜୟନ୍ତ କହିଛନ୍ତି।