‘ଅପରେସନ୍ ଅଜୟ’ : ପ୍ରଥମ ପର୍ଯ୍ୟାୟରେ ଫେରିଲେ ୨୧୨ ଭାରତୀୟ

ପ୍ରଥମ ପର୍ଯ୍ୟାୟରେ ୨୧୨ ଭାରତୀୟ ଇସ୍ରାଏଲରୁ ଫେରିଲେ।

ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ

ନୂଆଦିଲ୍ଲୀ,୧୩.୧୦.୨୦୨୩: ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ୨୧୨ ଜଣ ଭାରତୀୟଙ୍କୁ ନେଇ ଅପରେସନ ଅଜୟ ଅଧୀନରେ ପ୍ରଥମ ଚାର୍ଟର ବିମାନ ଶୁକ୍ରବାର ସକାଳେ ଦିଲ୍ଲୀରେ ପହଞ୍ଚିଛି।

ଇସ୍ରାଏଲରେ ଥିବା ପ୍ରାୟ ୧୮ ହଜାର ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ‘ଅପରେସନ୍ ଅଜୟ’ ଆରମ୍ଭ କରିଛନ୍ତି। ତେଲ ଅବିବସ୍ଥିତ ବେନ୍ ଗୁରିୟନ ବିମାନବନ୍ଦରରୁ ଗୁରୁବାର ରାତି ୧୦ଟା ୧୪ମିନିଟରେ ଜଣେ ଶିଶୁଙ୍କ ସମେତ ୨୧୨ ଜଣ ଯାତ୍ରୀଙ୍କୁ ନେଇ ପ୍ରଥମ ବିମାନ ଉଡ଼ାଣ ଭରିଥିଲା। ବିମାନରେ ‘ଭାରତ ମାତା କି ଜୟ’ ଏବଂ ‘ବନ୍ଦେ ମାତରମ୍’ ନାରା ଦେଇ ଫେରିଥିବା ଲୋକଙ୍କ ମଧ୍ୟରେ ଉତ୍ସବର ବାତାବରଣ ଦେଖିବାକୁ ମିଳିଥିଲା। ସମସ୍ତ ଯାତ୍ରୀଙ୍କ ଫେରିବା ଖର୍ଚ୍ଚ ସରକାର ବହନ କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନବନ୍ଦରରେ ଫେରିଥିବା ଲୋକଙ୍କୁ ସ୍ୱାଗତ କରିଥିଲେ। ଆମ ସରକାର କେବେ ବି କୌଣସି ଭାରତୀୟଙ୍କୁ ପଛରେ ପକାଇବେ ନାହିଁ। ଆମ ସରକାର, ଆମ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବା ପାଇଁ ସଂକଳ୍ପବଦ୍ଧ ବୋଲି ଚନ୍ଦ୍ରଶେଖର କହିଛନ୍ତି। ଶୁକ୍ରବାର ଇସ୍ରାଏଲରୁ ଦ୍ୱିତୀୟ ବିମାନ ଉଡ଼ାଣ କରିବ ଏବଂ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ସତର୍କ କରିଛି।