ମିଶନ ଶକ୍ତିକୁ ନେଇ ଧରାପଡିଲା ଧର୍ମେନ୍ଦ୍ରଙ୍କ ମିଛ: ବିଜେଡି

ମୃତ୍ୟୁଯନ୍ତା ପାଲଟିଥିବା ରାଜପଥ ନେଇ ଧର୍ମେନ୍ଦ୍ରଙ୍କ ନିରବତା ସନ୍ଦେହଜନକ

ଏଭଳି ବକ୍ତବ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବୋଧତାର ପରିଚୟ

ଭୁବନେଶ୍ୱର, ୧୪/୧୦/୨୦୨୩: ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଠଗଡରେ ଯେଉଁ ଅଭିଭାଷଣ ରଖିଲେ, ସେଥିରୁ ତାଙ୍କର ନିର୍ବୋଧତା ପଦାରେ ପଡିଛି । ଦୁର୍ଭାଗ୍ୟର କଥା ଶ୍ରୀଯୁକ୍ତ ପ୍ରଧାନ କହୁଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା, ଯାହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି
ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ଶ୍ରୀମତୀ ସାହୁ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଶ୍ରୀଯୁକ୍ତ ପ୍ରଧାନ ରାଜ୍ୟର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କୁ ଅପମାନିତ କରିଛନ୍ତି । ଯେଉଁ ମା’ ମାନେ ଗଛ ତଳେ ବସି, ମୁଠି ଚାଉଳ ଦେଇ ଏହାକୁ ଗଢିଛନ୍ତି, ତାଙ୍କ କାର୍ଯ୍ୟ ବିଷୟରେ ନଜାଣି ବକ୍ତବ୍ୟ ଦେବା ସେମାନଙ୍କ ପ୍ରତି ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ।

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ସୁଧାରିବାକୁ କଣ କରିଛନ୍ତି ଏବଂ ୯ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ ସମୟରେ କଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଆଠଗଡବାସୀଙ୍କୁ କହିଥିଲେ ଭଲ ହୋଇଥାନ୍ତା । କାରଣ ଖାଲି ଆଠଗଡବାସୀ ନୁହଁନ୍ତି, ସାରା ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି କାହିଁକି ଏନଏଚ-୫୫ ମରଣଯନ୍ତା ହେଲା ପରେ ମଧ୍ୟ ସେ ଚୁପ୍ ହୋଇ ରହିଛନ୍ତି ।

ସେହିଭଳି ଓଡିଶାର ବିଜେପି ସାଂସଦମାନେ ଷଡଯନ୍ତ୍ର କରି ଗରିବ ଆଦିବାସୀଙ୍କୁ ମିଳିବାକୁ ଥିବା ଘର ବନ୍ଦ କରିଦେଲେ । ଆଜିର ସଭାରେ ଶ୍ରୀଯୁକ୍ତ ପ୍ରଧାନ ଏ ବାବଦରେ ପଦୁଟିଏ ମଧ୍ୟ ଉଲ୍ଲେଖ କଲେନାହିଁ । ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଏଭଳି ଅବିଚାର ନେଇ ବକ୍ତବ୍ୟ ରଖିଥିଲେ ଭଲ ହୋଇଥାନ୍ତା।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଆପଣ ଦାୟିତ୍ୱ ତୁଲାଉଛନ୍ତି । ଆଠଗଡ ଗସ୍ତ ସମୟରେ ଜବାହର ନବୋଦୟ ବିଦ୍ୟାଳୟ ଅଥବା କେନ୍ଦ୍ରୀୟ ବିଦ୍ୟାଳୟ ନେଇ ଶିଳାନ୍ୟାସ କରିଥିଲେ ଆଠଗଡବାସୀ ଉପକୃତ ହୋଇଥାନ୍ତେ। ଶିକ୍ଷାମନ୍ତ୍ରୀ ଭାବେ ଓଡିଶାର ବିଭିନ୍ନ ସ୍ଥାନ ବୁଲୁଛନ୍ତି । କହିଲେ, କେତେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି । ସଭାରେ ବିଭ୍ରାନ୍ତିକର ତଥ୍ୟ ଦେବା ବଦଳରେ ଏସବୁର ହିସାବ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀମତୀ ସାହୁ କହିଛନ୍ତି ।