୪୦ ବର୍ଷ ପରେ ଭାରତ-ଶ୍ରୀଲଙ୍କା ଫେରି ସେବା ଆରମ୍ଭ ଐତିହାସିକ: ପ୍ରଧାନମନ୍ତ୍ରୀ

ତାମିଲନାଡୁର ନାଗାପଟ୍ଟିନମ୍ ଏବଂ ଶ୍ରୀଲଙ୍କାର ଜାଫନା ମଧ୍ୟରେ ୪୦ ବର୍ଷ ପରେ ଫେରି ସେବା ହୋଇଛି।

ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଫେରି ସେବା

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ଏକ ଫେରି ସେବା ବାତିଲ ହେବାର ପାଖାପାଖି ୪ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଶନିବାର ଉଦ୍ ଘାଟନ କରିଛନ୍ତି। ତାମିଲନାଡୁର ନାଗାପଟ୍ଟିନମ୍ ଏବଂ ଶ୍ରୀଲଙ୍କାର ଜାଫନାର କାଙ୍କେସାନ୍ଥୁରାଇ ମଧ୍ୟରେ ଏହି ଜାହାଜ ଚଳାଚଳ କରୁଛି।

“ସଂଯୋଗ କେବଳ ଦୁଇଟି ସହରକୁ ନିକଟତର କରିବା ନୁହେଁ। ଏହା ଆମ ଦେଶକୁ ନିକଟତର କରିଥାଏ, ଆମ ଲୋକଙ୍କୁ ନିକଟତର କରିଥାଏ ଏବଂ ଆମ ହୃଦୟକୁ ନିକଟତର କରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଯେଉଁଥିରେ ସେ ନାଗପଟ୍ଟିନମର ସାମୁଦ୍ରିକ ବାଣିଜ୍ୟର ସମୃଦ୍ଧ ଇତିହାସକୁ ମନେ ପକାଇଛନ୍ତି। ସେ ପ୍ରସିଦ୍ଧ ତାମିଲ କବି ସୁବ୍ରମଣ୍ୟମ ଭାରତୀଙ୍କ ସିନ୍ଧୁ ନାଧିନ ମିସାଇ ଗୀତ ବିଷୟରେ ଉଲ୍ଲେଖ କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ ଏକ ସେତୁକୁ ସ୍ପର୍ଶ କରେ । ଏହି ଫେରି ସେବା ସେହି ସବୁ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ଜୀବନ୍ତ କରିଛି ବୋଲି ମୋଦି କହିଛନ୍ତି।

ନିକଟରେ ଶ୍ରୀଲଙ୍କା ରାଷ୍ଟ୍ରପତି ବିକ୍ରମସିଂହେଙ୍କ ଭାରତ ଗସ୍ତ ପରେ ଏହି ଫେରି ସେବା ପୁନରୁଦ୍ଧାର କରାଯାଇଥିଲା।

ବିକ୍ରମସିଂହେ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, “ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଉଭୟ ଦେଶର ଲୋକମାନେ ଅନେକ ବର୍ଷ ଧରି ପାଲକ ଷ୍ଟ୍ରେଟ୍ ଦେଇ ଯାତାୟାତ କରିଆସୁଛନ୍ତି। ଅତୀତରେ ଶ୍ରୀଲଙ୍କାରେ ଗୃହଯୁଦ୍ଧ ଯୋଗୁଁ ଫେରୀ ସେବା କୁ ସ୍ଥଗିତ ରଖାଯାଇଥିଲା। ଏବେ ଏହି ଯୋଗାଯୋଗ ପୁନଃ ସ୍ଥାପିତ ହୋଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଭର୍ଚୁଆଲ ଭାବେ ଉଦ୍ ଘାଟନ ଉତ୍ସବକୁ ସମ୍ବୋଧିତ କରି ଏହାକୁ ଏକ ରଣନୈତିକ ପଦକ୍ଷେପ ବୋଲି କହିଛନ୍ତି।