5T ସଚିବରୁ 5T ଅଧ୍ୟକ୍ଷ ପାଣ୍ଡିଆନ

5T ସଚିବରୁ 5T ଅଧ୍ୟକ୍ଷ ଭାବେ ପାଣ୍ଡିଆନଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର।

ରାଜନୀତିକୁ ଆସିଲେ ହେବ କଡା ଟକ୍କର : ବିରୋଧୀ

ଭୁବନେଶ୍ବର, ୨୪.୧୦.୨୦୨୩: ଗୋଟିଏ ଦିନରେ 5T ସଚିବ ରୁ 5T ଅଧ୍ୟକ୍ଷ। ୧୨ ଘଣ୍ଟା ନ ପୁରୁଣୁ ପୂର୍ବତନ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ପାହ୍ୟା ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର। ଗତ କାଲି ଶ୍ରୀ ପାଣ୍ଡିଆନ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ। ଆଉ ଆଜି ଶ୍ରୀ ପାଣ୍ଡିଆନ ୫-ଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତେବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ପାଣ୍ଡିଆନଙ୍କ ନବନିଯୁକ୍ତିକୁ ନେଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏବେ ଖୋଲା ମୈଦାନରେ ରାଜନୀତି ହେବ। ଚାକିରି ସହ ରାଜନୀତିକୁ ଆମେ ବିରୋଧ କରୁଥିଲୁ। ଅତୀତରେ ଯେଉଁ ରାଜନୀତି ଚାଲିଥିଲା ତାହା ଦେଶ ପାଇଁ ଶୁଭଙ୍କର ନଥିଲା। ଚାକିରି ଛାଡ଼ି ସମସ୍ତେ ରାଜନୀତି କରିପାରିବେ। ରାଜନୀତି କରିବାରେ ସମସ୍ତଙ୍କର ଅଧିକାର ରହିଛି। ଏଥିରୁ ସ୍ଥିର ନିଶ୍ଚିନ୍ତ ରାଜ୍ୟ ରାଜନୀତି ବର୍ତ୍ତମାନ ପାଣ୍ଡିଆନଙ୍କ ଅଧିନରେ।

ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରସଙ୍ଗରେ ପିସିସି ସଭାପତି ପ୍ରତିକ୍ରିୟାରେ କହିଛନ୍ତି, “ଇସ୍ତଫା ଏକ ପ୍ରହେଳିକା, କ୍ଷମତା ହାସଲ ପାଇଁ ଏହା ଏକ ଷଡ଼ଯନ୍ତ୍ର। ପାଣ୍ଡିଆନଙ୍କ VRS ୩ ଦିନରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି। ପାଣ୍ଡିଆନ ବିଜେପି-ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ। ନବୀନ ବାବୁ ଓଡ଼ିଶାକୁ ପୁଣି ଥରେ ଲିଜ୍‌ରେ ଦେବାକୁ ବସିଛନ୍ତି। ଓଡ଼ିଶା ଶାସନକୁ ବାହାର ରାଜ୍ୟର ଲୋକଙ୍କୁ ଟେକା ଯାଇପାରିବନି। ଓଡ଼ିଆ ଭାଇମାନେ ଠିକ୍‌ ସମୟରେ ଠିକ୍‌ ଜବାବ ଦେବେ।

ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି,”ଏହାକୁ ବିରୋଧୀଦଳ ସମାଲୋଚନା କରିପାରିବେନି। କୌଣସି ବେଆଇନ କାମ ହୋଇନି, ଅସାମ୍ବିଧାନିକ କାମ ହୋଇନି। ଯେଉଁ ନିଷ୍ପତ୍ତି ହେଲା କ୍ୟାବିନେଟ୍‌ରେ ହେବା କଥା, ସିଏମ୍‌ କରିପାରିବେ। ମୁଁ ଅନୁମାନ କରୁଥିଲି, କିନ୍ତୁ ଆଶ୍ଚର୍ଯ୍ୟଚକିତ ନୁହେଁ, ୩୦ ଜିଲ୍ଲା ବୁଲିବା ଯୋଗୁଁ ଯେଉଁ କ୍ଷତି ହୋଇଥିଲା ତାକୁ ଭରଣା କରିବାକୁ ଉଦ୍ୟମ କରାଯାଇଛି, ସରକାର ବ୍ୟାକଫୁଟ୍‌ରେ ଥିଲେ, ବହୁ ଚିନ୍ତା କରି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ହୋଇଛି। ପାଣ୍ଡିଆନ ଜଣେ ସଫଳ ପ୍ରଶାସନିକ ଅଧିକାରୀ। ରାଜନୀତିକୁ ଓହ୍ଲାଇଲେ ସଫଳ ହେବେ ବୋଲି କହି ହେବନି।